Odisha Assembly: ନଭେମ୍ବର ୧୮ରୁ ଶୀତ ଅଧିବେଶନ, ପ୍ରଥମ ଦିନ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍
ଭୁବନେଶ୍ୱର: ନଭେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ବିବରଣୀ ଗୃହରେ ଉପସ୍ଥାପନ କରାଯିବ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।
ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନରେ ଅତିରିକ୍ତ ଖର୍ଚ୍ଚ ପାଇଁ ଅନୁଦାନ ଦାବି ଉପରେ ଆଲୋଚନା ହେବ। ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ ଏହି ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏହାପରେ ନଭେମ୍ବର ୩୦ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟସୂଚୀ ରହିଛି।
ଚଳିତ ବର୍ଷ ବଜେଟ୍ ଓ ମୌସୁମୀ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଶେଷ ହୋଇଛି। ବର୍ଷକୁ ବିଧାନସଭାର ୬୦ ଦିନ ବୈଠକ ବସିବା ନିୟମକୁ ଦୃଷ୍ଟିରେ ରଖି ଶୀତ ଅଧିବେଶନ ପାଇଁ ୩୩ଟି କାର୍ଯ୍ୟଦିବସର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏହି ଅଧିବେଶନରେ ଅତିରିକ୍ତ ବଜେଟ୍, ବ୍ୟୟ ମଞ୍ଜୁରି ବିଲ୍ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ଉପରେ ଆଲୋଚନା ହେବ।

