Low Pressure in Bay of Bengal: ବାତ୍ୟା ପରେ ପୁଣି ଲଘୁଚାପ, ୪୮ ଘଣ୍ଟାରେ ଅବପାତ ହେବା ସମ୍ଭାବନା
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ପ୍ରଭାବ ଲାଗି ରହିଥିବା ବେଳେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ଖବର ଚିନ୍ତା ବଢ଼ାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମିଳିଥିବା ପାଣିପାଗ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି।
ଏହି ଲଘୁଚାପ କେଉଁ ଦିଗକୁ ଗତି କରିବ ଏବଂ ଏହାର ତୀବ୍ରତା କେତେ ରହିବ, ତାହା ଉପରେ ଏବେ ନଜର ରହିଛି। ଏହା ବାତ୍ୟାର ରୂପ ନେବ କି ନାହିଁ, ସେନେଇ ବର୍ତ୍ତମାନ ସ୍ପଷ୍ଟ ସୂଚନା ନାହିଁ। ଓଡ଼ିଶାରେ ବର୍ଷା କିମ୍ବା ପବନର ପ୍ରଭାବ ପଡ଼ିବ କି ନାହିଁ, ତାହା ମଧ୍ୟ ପରବର୍ତ୍ତୀ ପାଣିପାଗ ପୂର୍ବାନୁମାନରୁ ସ୍ପଷ୍ଟ ହେବ।
ଅନ୍ୟପଟେ, ବାତ୍ୟା ଅର୍ଣ୍ଣବର ପ୍ରଭାବରୁ ହୋଇଥିବା କ୍ଷୟକ୍ଷତିରୁ ଲୋକେ ଏବେ ବି ମୁକୁଳିନାହାନ୍ତି। ଏଭଳି ସମୟରେ ନୂଆ ଲଘୁଚାପକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ପୁଣି ଲଗାଣ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ରହିଛି। ତେବେ ଏହି ଲଘୁଚାପର ପ୍ରକୃତ ପ୍ରଭାବ ଜାଣିବା ପାଇଁ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରିବାକୁ ପଡ଼ିବ।

