Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bay of Bengal Weather Alert: ଅର୍ଣ୍ଣବ ପରେ ପୁଣି ବର୍ଷା ଆଶଙ୍କା, ଅକ୍ଟୋବର ୩୧ରେ ଅବପାତ ରୂପ ନେଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କମିନଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଅକ୍ଟୋବର ୩୧ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ-ନିକୋବର ଅଞ୍ଚଳ ନିକଟରେ ଅବପାତର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ଆକଳନ କରିଛି। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ ହୋଇନାହିଁ।

ଅନ୍ୟପଟେ, ‘ଅର୍ଣ୍ଣବ’ର ଅବଶିଷ୍ଟ ଅଂଶ ଦୁର୍ବଳ ହୋଇ ଛତିଶଗଡ଼ ଓ ଓଡ଼ିଶାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଅକ୍ଟୋବର ୩୦ ଓ ୩୧ରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଜାରି ରହିପାରେ। ନଭେମ୍ବର ୧ରୁ ବର୍ଷା ବଢ଼ିବା ସମ୍ଭାବନା ଥିବା ବେଳେ ୧ ଓ ୩ ତାରିଖରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ୨ ତାରିଖରେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି IMD ପୂର୍ବାନୁମାନ କରିଛି।

ନୂଆ ଲଘୁଚାପର ଗତିପଥ ଓ ଘନୀଭୂତ ହେବାର ସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଛି। ତେଣୁ ଆଗାମୀ କିଛି ଦିନ ରାଜ୍ୟରେ ବର୍ଷାର ସ୍ଥିତି ଉପରେ ନଜର ରହିବ। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ପର୍କିତ ସଦ୍ୟତମ ସୂଚନା ପାଇଁ ଲୋକଙ୍କୁ IMD ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ଅନୁସରଣ କରିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories