PM Kisan 24th Instalment: ଆଜି କିଷାନ ହିତାଧିକାରୀଙ୍କ ଖାତାକୁ ଆସିବ ଟଙ୍କା, ୯.୩୪ କୋଟି ଚାଷୀଙ୍କୁ ମିଳିବ ୧୮,୬୯୦ କୋଟି
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଜି ଆସିବ ଖୁସି ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତି ଅକ୍ଟୋବର ୩୦ରେ ଜାରି ହେବ। ଗୁଜରାଟର ବନାସକାଣ୍ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ DBT ମାଧ୍ୟମରେ ୯.୩୪ କୋଟିରୁ ଅଧିକ ଯୋଗ୍ୟ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ୧୮,୬୯୦ କୋଟିରୁ ଅଧିକ ଟଙ୍କା ପଠାଇବେ। ଏହି କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ଚାଷୀ ପରିବାର ୨,୦୦୦ ଟଙ୍କା ପାଇବେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ରାଇସେନରୁ ଯୋଗଦେବେ। ଏହାସହ କୃଷି ଭିତ୍ତିଭୂମି ପାଣ୍ଠି (AIF) ଅଧୀନରେ ସ୍ଥାପିତ ୫୨୧ଟି ୟୁନିଟ୍କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରାଯିବ। କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଓ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ମଜବୁତ କରିବା ଏହି ୟୁନିଟ୍ଗୁଡ଼ିକର ଲକ୍ଷ୍ୟ। ଏଥିସହ ଉଚ୍ଚମୂଲ୍ୟର ଉଦ୍ୟାନକୃଷି ଫସଲ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ୧୨ଟି ଉଦ୍ୟାନକୃଷି କ୍ଲଷ୍ଟରର ମଧ୍ୟ ଉଦ୍ଘାଟନ କରାଯିବ।
୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିବା PM-KISAN ଯୋଜନାରେ ଯୋଗ୍ୟ ଭୂମିଧାରୀ କୃଷକ ପରିବାରକୁ ବର୍ଷକୁ ୬,୦୦୦ ଟଙ୍କା ମିଳୁଛି। ଏହି ଅର୍ଥ ତିନିଟି ସମାନ କିସ୍ତିରେ, ପ୍ରତିଥର ୨,୦୦୦ ଟଙ୍କା ହିସାବରେ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯାଏ। ସରକାରୀ ତଥ୍ୟ ଅନୁସାରେ, ପୂର୍ବରୁ ୨୩ଟି କିସ୍ତିରେ ୪.୪୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଚାଷୀଙ୍କୁ ଦିଆଯାଇଛି। ତେବେ ୨୪ତମ କିସ୍ତି ପାଇବା ପାଇଁ ଯୋଗ୍ୟତା ସହ ଇ-କେୱାଇସି ଓ ବ୍ୟାଙ୍କ ତଥ୍ୟ ଠିକ୍ ରହିବା ଜରୁରୀ।

