Supreme Court on Rape Allegation: ପ୍ରେମ ସମ୍ପର୍କ ଭାଙ୍ଗିଗଲେ ସହମତିରେ ହୋଇଥିବା ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ, ସୁପ୍ରିମକୋର୍ଟଙ୍କ ଟିପ୍ପଣୀ
ନୂଆଦିଲ୍ଲୀ: ଦୁଇ ଜଣ ସାବାଳକ ପରସ୍ପର ସହମତିରେ ପ୍ରେମ ସମ୍ପର୍କରେ ରହି ଶାରୀରିକ ସମ୍ପର୍କ ରଖିଥିଲେ, ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଗଲା ବୋଲି ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଟିପ୍ପଣୀ କରିଛନ୍ତି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ସହ ଜଡ଼ିତ ଏହି ମାମଲାରେ ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ମାମଲାର ଅଭିଯୋଗରୁ ମୁକ୍ତ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ, କେବଳ ସମ୍ପର୍କ ଭାଙ୍ଗିଯିବା କାରଣରୁ ପୂର୍ବରୁ ପରସ୍ପର ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ବଳାତ୍କାରର ରୂପ ଦେବା ବିଧାନମଣ୍ଡଳର ଉଦ୍ଦେଶ୍ୟ ନଥିଲା। ଏଭଳି ଆଭିମୁଖ୍ୟ ଜଣେ ପୁରୁଷଙ୍କୁ ନିଜ ଇଚ୍ଛାରେ ସମ୍ପର୍କ ଶେଷ କରିବାର ଅଧିକାରରୁ ବଞ୍ଚିତ କରିପାରେ। ସମ୍ପର୍କ ଭାଙ୍ଗିବା ପରେ ବଳାତ୍କାର ଅଭିଯୋଗ ହେବାର ଭୟ ରହିଲେ, ଜଣେ ବ୍ୟକ୍ତି କେବଳ ସେହି ଭୟରେ ସମ୍ପର୍କ ଜାରି ରଖିବାକୁ ବାଧ୍ୟ ହୋଇପାରନ୍ତି ବୋଲି କୋର୍ଟ ମତ ଦେଇଛନ୍ତି।
ଜଣେ ପୁରୁଷଙ୍କର ସମ୍ପର୍କ ଶେଷ କରିବାର ଅଧିକାର ନାହିଁ କି ଏବଂ ତାଙ୍କର ଏହି ନିଷ୍ପତ୍ତିକୁ ଠକେଇ ବୋଲି କୁହାଯାଇପାରିବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ସମ୍ପର୍କ ଶେଷ କରିବାର ନିଷ୍ପତ୍ତିକୁ ଠକେଇ ବୋଲି ଧରାଯାଇପାରିବ ନାହିଁ। ତେବେ ଏହି ଟିପ୍ପଣୀ ନିର୍ଦ୍ଦିଷ୍ଟ ମାମଲାର ତଥ୍ୟ ଓ ପରିସ୍ଥିତି ଆଧାରରେ ଦିଆଯାଇଛି।

