PM Kisan 24th Installment: ଚାଷୀଙ୍କୁ ମୋଦୀଙ୍କ ଦୀପାବଳି ଭେଟି, ୯.୩ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ଆସିଲା କିଷାନ ଟଙ୍କା
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତି ଜାରି କରାଯାଇଛି। ଗୁଜରାଟର ବନାସକାଣ୍ଠାରେ ୧୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତି ଜାରି କରିଛନ୍ତି। ଏଥିପାଇଁ ପ୍ରାୟ ୧୯ ହଜାର କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବା ସହ ୯ କୋଟି ୩୦ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ବୋଲି ସୂଚନା ଦିଆଯାଇଛି।
୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଯୋଗ୍ୟ ଚାଷୀ ପରିବାରଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଥାଏ। ଏହି ଟଙ୍କାକୁ ବର୍ଷକୁ ତିନୋଟି ସମାନ କିସ୍ତିରେ ଦିଆଯାଏ। ପ୍ରତି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଚାଷୀଙ୍କ ଆଧାର ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଏ। ଏହି ଯୋଜନାର ଲାଭ ପାଇବା ପାଇଁ ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ଯୋଗ୍ୟତା ଓ ନିୟମ ପୂରଣ କରିବାକୁ ପଡ଼ିଥାଏ।
ସୂଚନା ଅନୁସାରେ, ୨୩ତମ କିସ୍ତି ପର୍ଯ୍ୟନ୍ତ ଏହି ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ମୋଟ ୪.୪୭ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇଥିଲା। ୨୪ତମ କିସ୍ତି ଜାରି ହେବା ପରେ ଚାଷୀଙ୍କୁ ମିଳିଥିବା ମୋଟ ସହାୟତା ରାଶି ଆହୁରି ବଢ଼ିବ। ତେବେ ଚାଷୀମାନେ ନିଜ ଖାତାକୁ ଟଙ୍କା ଆସିଛି କି ନାହିଁ, ତାହା ବ୍ୟାଙ୍କ ଖାତା କିମ୍ବା ଯୋଜନାର ଅଧିକାରିକ ପୋର୍ଟାଲ୍ରେ ଯାଞ୍ଚ କରିପାରିବେ।

