Bhopal Ex-IAS Officer Murder: ଭୋପାଳରେ ପୂର୍ବତନ IAS ଅଧିକାରୀଙ୍କ ହତ୍ୟା, ଆଗ୍ରାରୁ ଗିରଫ ହେଲେ ଅଭିଯୁକ୍ତ କେୟାରଟେକର୍
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳରେ ପୂର୍ବତନ IAS ଅଧିକାରୀ ରାକେଶ ଅଗ୍ରୱାଲଙ୍କ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପ୍ରାୟ ଏକ ମାସ ଧରି ଫେରାର ଥିବା ଅଭିଯୁକ୍ତ କେୟାରଟେକର୍ ବରୁଣ କୁମାରଙ୍କୁ ଉତ୍ତରପ୍ରଦେଶର ଆଗ୍ରାରୁ ଗିରଫ କରାଯାଇଛି। ୭୦ ବର୍ଷୀୟ ରାକେଶ ଅଗ୍ରୱାଲଙ୍କୁ ସେପ୍ଟେମ୍ବର ୩୦ରେ ଭୋପାଳର ରତିବାଦ ଅଞ୍ଚଳସ୍ଥିତ ତାଙ୍କ ଘରେ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ତାଙ୍କ ଦେଖାଶୁଣା ପାଇଁ ବରୁଣଙ୍କୁ ଘଟଣାର ମାତ୍ର ୩ ଦିନ ପୂର୍ବରୁ ଏକ ଏଜେନ୍ସି ମାଧ୍ୟମରେ ନିଯୁକ୍ତ କରାଯାଇଥିଲା।
ପୁଲିସ ସୂଚନା ଅନୁସାରେ, ଆଗ୍ରାରୁ ବରୁଣଙ୍କୁ ଭୋପାଳ ଅଣାଯାଉଥିବା ସମୟରେ ମଙ୍ଗଳବାର ସକାଳେ ମୁଗାଲିଆ ଛାପ ନିକଟରେ ସେ ହିରାସତରୁ ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଏବଂ ତାଙ୍କ ଗୋଡ଼ରେ ଗୁଳି ବାଜିଥିବା ପୁଲିସ କହିଛି। ଆହତ ବରୁଣଙ୍କୁ ଭୋପାଳର ହମିଦିଆ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଏହି ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା। ତାଙ୍କୁ ଧରାଇଦେବା ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏବେ ପୁଲିସ ବରୁଣଙ୍କୁ ପଚରାଉଚରା କରି ହତ୍ୟାର କାରଣ, ଘଟଣାର କ୍ରମ ଏବଂ ଅନ୍ୟ କେହି ଏଥିରେ ସାମିଲ ଥିଲେ କି ନାହିଁ, ତାହା ଜାଣିବାକୁ ତଦନ୍ତ ଜାରି ରଖିଛି।

