Himachal Hotel Fee Hike:ହିମାଚଳ ବୁଲିବାକୁ ଯୋଜନା କରୁଛନ୍ତି କି? ବଢିପାରେ ହୋଟେଲ ରହଣି ଖର୍ଚ୍ଚ !
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶ ବୁଲିବାକୁ ଯୋଜନା କରୁଥିବା ପର୍ଯ୍ୟଟକଙ୍କ ପାଇଁ ଜରୁରୀ ଖବର। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ହୋଟେଲଗୁଡ଼ିକର ଅନୁମତି ଶୁଳ୍କ ବଢ଼ାଇଛି। ଏହାର ପ୍ରଭାବ ଛୋଟ ହୋଟେଲ ବ୍ୟବସାୟୀଙ୍କ ଉପରେ ଅଧିକ ପଡ଼ୁଛି। ଏହି ନୂଆ ଶୁଳ୍କ ହୋଟେଲ ଚଳାଇବା ଖର୍ଚ୍ଚ ବଢ଼ାଇପାରେ, ଯାହା ପର୍ଯ୍ୟଟକଙ୍କ ରହଣି ଖର୍ଚ୍ଚକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି |
ନୂଆ ନିୟମ ଅନୁସାରେ, ହୋଟେଲର ଶ୍ରେଣୀ ଓ ପ୍ରକଳ୍ପ ଖର୍ଚ୍ଚକୁ ଆଧାର କରି ଶୁଳ୍କ ଧାର୍ଯ୍ୟ ହେଉଛି। ୧୦ରୁ ୧୩ଟି କୋଠରୀ ଥିବା ହୋଟେଲର ପାଞ୍ଚ ବର୍ଷର ଅପରେଟିଂ କନସେଣ୍ଟ୍ ଫି’ ପୂର୍ବରୁ ୭୨ ହଜାର ଟଙ୍କା ଥିବା ବେଳେ ଏବେ ଏହା ୧.୮୦ ଲକ୍ଷ ଟଙ୍କା ହୋଇଛି। ଅର୍ଥାତ୍ ୧.୦୮ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ଗ୍ରୀନ୍ ଶ୍ରେଣୀର ଏହି ହୋଟେଲଗୁଡ଼ିକ ପାଇଁ ବାର୍ଷିକ ଶୁଳ୍କ ୧୪,୪୦୦ ଟଙ୍କାରୁ ୩୬ ହଜାର ଟଙ୍କାକୁ ବଢ଼ିଛି।
ଅରେଞ୍ଜ ଶ୍ରେଣୀରେ ଥିବା ୨୦ରୁ ଅଧିକ କୋଠରୀ ବିଶିଷ୍ଟ ହୋଟେଲଗୁଡ଼ିକର ଶୁଳ୍କ ମଧ୍ୟ ବଢ଼ିପାରେ। ପ୍ରାୟ ୩ରୁ ୫ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ଥିବା ହୋଟେଲ ପାଇଁ ବାର୍ଷିକ ଶୁଳ୍କ ୬୦ ହଜାରରୁ ୧ ଲକ୍ଷ ଟଙ୍କା ଏବଂ ପାଞ୍ଚ ବର୍ଷରେ ୩ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ନୂଆ ଓ ପୁରୁଣା ହୋଟେଲ ଉଭୟକୁ ସଂଶୋଧିତ ଦରରେ ଶୁଳ୍କ ଦେବାକୁ ପଡ଼ୁଥିବାରୁ ହିମାଚଳ ଯାତ୍ରା ପୂର୍ବରୁ ହୋଟେଲ ରହଣି ଖର୍ଚ୍ଚ ଓ ବୁକିଂ ଦର ଯାଞ୍ଚ କରି ନେବା ଉଚିତ ପଦକ୍ଷେପ ହୋଇପାରେ |

