Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Panchkula School Assault: ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ୮ ବର୍ଷୀୟ ଛାତ୍ରଙ୍କ PUBG ଖେଳକୁ ନେଇ ଅଭିଯୋଗ, ତଦନ୍ତ ପାଇଁ ଗଠନ ହେଲା ୫ ଜଣିଆ କମିଟି

ହରିୟାଣା: ହରିୟାଣାର ପଞ୍ଚକୁଲାର ଏକ ସରକାରୀ ସ୍କୁଲରେ ୬ ବର୍ଷୀୟା ଛାତ୍ରୀଙ୍କୁ ଜଣେ ୮ ବର୍ଷୀୟ ଛାତ୍ର ଆକ୍ରମଣ କରିଥିବା ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ରୀଙ୍କ ମାମୁଁ ଫାଜିଲ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣ କରିଥିବା ପିଲାଟି ହିଂସାତ୍ମକ ଭିଡିଓ ଗେମ୍ ଖେଳୁଥିଲା। ତାଙ୍କ ଦାବି ଅନୁସାରେ, ପିଲାଟି PUBG ସମେତ ଅନ୍ୟ ଗେମ୍ ଖେଳୁଥିବା କଥା ତାଙ୍କ ବାପା ମଧ୍ୟ ସ୍ୱୀକାର କରିଛନ୍ତି। ତେବେ ଭିଡିଓ ଗେମ୍ ଏହି ଘଟଣାର କାରଣ ବୋଲି ଏପର୍ଯ୍ୟନ୍ତ ତଦନ୍ତରେ ପ୍ରମାଣିତ ହୋଇନାହିଁ।

ଫାଜିଲଙ୍କ କହିବା ଅନୁସାରେ, ଆକ୍ରମଣ ପୂର୍ବରୁ ପିଲାଟି ଛାତ୍ରୀଙ୍କୁ ଥଟ୍ଟା କରୁଥିଲା। ଏହାକୁ ବିରୋଧ କରିବା ପରେ ତାଙ୍କୁ ଏକ ଖାଲି ଶ୍ରେଣୀଗୃହକୁ ନେଇ ଆକ୍ରମଣ କରିଥିଲା। ଗୁରୁତର ଆହତ ଛାତ୍ରୀଙ୍କୁ ଚଣ୍ଡୀଗଡ଼ର PGIMERରେ ଚିକିତ୍ସା କରାଯାଇଥିଲା। ପ୍ରାୟ ୪୦ ଘଣ୍ଟା ପରେ ତାଙ୍କର ଚେତା ଫେରିଥିଲା ଏବଂ ସେ ବିପଦମୁକ୍ତ ଥିବା ଜଣାପଡ଼ିଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ମାମୁଁ କହିଛନ୍ତି।

ଘଟଣାରେ ଅବହେଳା ଅଭିଯୋଗରେ ହରିୟାଣା ଶିକ୍ଷା ବିଭାଗ ଦୁଇ ଜଣ JBT ଶିକ୍ଷକଙ୍କୁ ନିଲମ୍ବନ କରିଛି। ହରିୟାଣା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଥ୍ୟଭିତ୍ତିକ ରିପୋର୍ଟ ଦେବାକୁ କହିଛି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ୫ ଜଣିଆ କମିଟି ଗଠନ କରିବା ସହ ସମସ୍ତ ସ୍କୁଲର ସୁରକ୍ଷା ଯାଞ୍ଚ କରିବାକୁ ଘୋଷଣା କରିଛନ୍ତି। ଶିକ୍ଷାମନ୍ତ୍ରୀ ମହିପାଲ ଧଣ୍ଡା କହିଛନ୍ତି ଯେ, ଅବହେଳା ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories