SBI Data Breach: ଡାର୍କ ୱେବ୍ରେ ୩,୮୯୭ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ମିଳିବା ପରେ ତଦନ୍ତ ଆରମ୍ଭ କଲା SBI
ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ୩,୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବ୍ରେ ଦେଖିବାକୁ ମିଳିବା ପରେ ସମ୍ଭାବ୍ୟ ସାଇବର ଆକ୍ରମଣ ନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଲିକ୍ ହୋଇଥିବା ତଥ୍ୟରେ ଗ୍ରାହକଙ୍କ ନାମ, ଯୋଗାଯୋଗ ନମ୍ବର, ଠିକଣା ଏବଂ ଋଣ ସମ୍ପର୍କିତ ସୂଚନା ଥିବା ରିପୋର୍ଟରେ କୁହାଯାଇଛି।
SBI ଅଧ୍ୟକ୍ଷ ସିଏସ୍ ସେଟ୍ଟୀ କହିଛନ୍ତି ଯେ, ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାରେ ଥିବା ସମ୍ଭାବ୍ୟ ଦୁର୍ବଳତାକୁ ଚିହ୍ନଟ କରାଯାଉଛି। ଏହା ସହିତ ତଥ୍ୟ କିପରି ବାହାରକୁ ଗଲା, ତାହା ଜାଣିବା ପାଇଁ ଘଟଣାର ମୂଳ କାରଣ ଖୋଜା ଚାଲିଛି।
ତେବେ ଏହି ଘଟଣାର ପ୍ରଭାବ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ପରିଚାଳନା ଉପରେ ପଡ଼ିନାହିଁ ବୋଲି SBI ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ତଥ୍ୟ କିପରି ଡାର୍କ ୱେବ୍ରେ ପହଞ୍ଚିଲା ଏବଂ ଏହା ପଛରେ ସାଇବର ଆକ୍ରମଣ ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

