EOW Raid in Mining Scam: ଖଣି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ଘର ଓ ଅଫିସ୍ରେ EOW ଚଢ଼ାଉ, କେନ୍ଦୁଝରରେ ତଦନ୍ତ
କେନ୍ଦୁଝର: ଖଣି ଦୁର୍ନୀତି ସହ ଜଡ଼ିତ କ୍ରସର କିଣାବିକା ମାମଲାରେ କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) ଚଢ଼ାଉ କରିଛି। ଏହି ମାମଲାରେ ରାଜା ଚକ୍ର, ସଦାଶିବ ସାମଲ ଓ ଜ୍ୟୋତି ମିଶ୍ରଙ୍କ ଘର ଏବଂ ଅଫିସ୍ରେ ଯାଞ୍ଚ ଚାଲିଛି। କ୍ରସର କିଣାବିକାକୁ ନେଇ ମାଲିକଙ୍କ ଅଭିଯୋଗ ପରେ EOW ତଦନ୍ତ ଆରମ୍ଭ କରିଥିବା ବେଳେ ଟିମ୍ କେନ୍ଦୁଝରର ନୁନଝରଣ ଗାଁରେ ପହଞ୍ଚି ସରଜମିନ ତଦନ୍ତ କରୁଛି।
ଏହି ଖଣି ଦୁର୍ନୀତି ମାମଲାରେ ରାଜା ଚକ୍ର ପୂର୍ବରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଅର୍ଥ କାରବାର ସମ୍ପର୍କିତ ମାମଲାରେ ଗତବର୍ଷ ମାର୍ଚ୍ଚ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତାଙ୍କୁ ଗିରଫ କରିଥିଲା। ଏବେ କ୍ରସର କିଣାବିକା ମାମଲାରେ ତାଙ୍କ ନାମ ପୁଣି ତଦନ୍ତ ପରିସରକୁ ଆସିଛି।
କ୍ରସର କିଣାବିକା ସମ୍ପର୍କିତ ଅଭିଯୋଗର ଆଧାରରେ EOW ଏହି ଚଢ଼ାଉ ଓ ଯାଞ୍ଚ କରୁଛି। ତଦନ୍ତକାରୀ ଟିମ୍ ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ସହ ମାମଲା ସହ ଜଡ଼ିତ ତଥ୍ୟ ସଂଗ୍ରହ କରୁଛି। ତେବେ ଚଢ଼ାଉରେ କ’ଣ ତଥ୍ୟ ମିଳିଛି ଏବଂ ଆଗକୁ କେଉଁ ପଦକ୍ଷେପ ନିଆଯିବ, ସେନେଇ EOW ପକ୍ଷରୁ ଅଧିକ ସୂଚନା ମିଳିନାହିଁ।

