Cash Seizure: ଖଡ଼ଗପୁର ରେଳ ଷ୍ଟେସନରେ ୧.୪୦ କୋଟି ଟଙ୍କା ଜବତ, ବ୍ୟାଗରୁ ମିଳିଲା ୨୮୦ ବଣ୍ଡଲ୍ ନୋଟ୍
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଖଡ଼ଗପୁର ରେଳ ଷ୍ଟେସନରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧ କୋଟି ୪୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ଟାଟାନଗର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ୍ରୁ ଓହ୍ଲାଇ ହାୱଡ଼ା ଆଡ଼କୁ ଯାଉଥିବା ରାହୁଲ ସୋନିଙ୍କୁ ରେଳବାଇ ପୁଲିସ (GRP) ଅଟକାଇଥିଲା।
ଯାଞ୍ଚ ସମୟରେ ତାଙ୍କ ବ୍ୟାଗ ଖୋଲାଯିବା ପରେ ସେଥିରୁ ୫୦୦ ଟଙ୍କିଆ ନୋଟ୍ର ୨୮୦ ବଣ୍ଡଲ୍ ମିଳିଥିଲା। ଏହି ଟଙ୍କାର ମୋଟ ପରିମାଣ ୧.୪୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ପୁଲିସ ଯାଞ୍ଚ କରୁଥିବା ବେଳେ ଯାତ୍ରୀ ଜଣକ ଖସିଯିବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା, ସେନେଇ ରାହୁଲ ସୋନି ସ୍ପଷ୍ଟ ଜବାବ ଦେଇପାରିନଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଆୟକର ବିଭାଗକୁ ଅବଗତ କରାଯାଇଛି। ଟଙ୍କାର ଉତ୍ସ ଓ ଏହା ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି।

