Kedara Gouri Temple: ଓଡ଼ିଶାର କେଦାରଗୌରୀ ମନ୍ଦିରକୁ ମିଳିଲା ରାଜ୍ୟ ସଂରକ୍ଷିତ କୀର୍ତ୍ତିର ମାନ୍ୟତା
ଭୁବନେଶ୍ୱର: ଭୁବନେଶ୍ୱରର ଐତିହାସିକ କେଦାରଗୌରୀ ମନ୍ଦିରକୁ ମିଳିଛି ନୂଆ ମାନ୍ୟତା। ପୁରୁଣା ଭୁବନେଶ୍ୱରର ଏହି ପ୍ରସିଦ୍ଧ ମନ୍ଦିର ପରିସରକୁ ରାଜ୍ୟ ସଂରକ୍ଷିତ କୀର୍ତ୍ତି ଭାବେ ଘୋଷଣା କରାଯାଇଛି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ପ୍ରାଚୀନ ସ୍ମାରକୀ ସଂରକ୍ଷଣ ଆଇନ, ୧୯୫୬ ଅନୁଯାୟୀ ଏହି ମାନ୍ୟତା ଦିଆଯାଇଛି।
କେଦାରଗୌରୀ ମନ୍ଦିରର ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ଓଡ଼ିଶାର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ ଏବଂ କଳିଙ୍ଗ ଶୈଳୀର ପରମ୍ପରା ସହ ଏହି ମନ୍ଦିର ଜଡ଼ିତ। ରାଜ୍ୟ ସଂରକ୍ଷିତ କୀର୍ତ୍ତିର ମାନ୍ୟତା ମିଳିବା ପରେ ମନ୍ଦିରର ଐତିହ୍ୟ ଓ ପୁରୁଣା ସ୍ଥାପତ୍ୟକୁ ସୁରକ୍ଷା ଦେବା ପାଇଁ ଆଇନଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି।
ଏହି ମାନ୍ୟତା କେବଳ ମନ୍ଦିରର ଧାର୍ମିକ ଗୁରୁତ୍ୱକୁ ନୁହେଁ, ବରଂ ଓଡ଼ିଶାର ପ୍ରାଚୀନ ଇତିହାସ, କଳା ଓ ସଂସ୍କୃତିର ପରିଚୟକୁ ମଧ୍ୟ ସ୍ୱୀକୃତି ଦେଇଛି। ଏହା ପୂର୍ବରୁ ରାଜ୍ୟରେ ୨୧୨ଟି ସଂରକ୍ଷିତ କୀର୍ତ୍ତି ଥିଲା। କେଦାରଗୌରୀ ମନ୍ଦିର ପରିସର ଏହି ତାଲିକାରେ ଯୋଡ଼ି ହେବା ପରେ ଏବେ ଓଡ଼ିଶାର ମୋଟ ରାଜ୍ୟ ସଂରକ୍ଷିତ କୀର୍ତ୍ତି ସଂଖ୍ୟା ୨୧୩ ହୋଇଛି।

