Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nabarangpur News: ମଶାଣିରୁ ସମାଧି ଖୋଳି ନେଇଗଲେ ମୃତଦେହର ମୁଣ୍ଡ ! ତନ୍ତ୍ରବିଦ୍ୟା ସନ୍ଦେହରେ ଗାଁରେ ଆତଙ୍କ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ର ନରସିଂହଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୪୨ ଦିନ ତଳେ ମଶାଣିରେ ପୋତାଯାଇଥିବା ଜଣେ ୨୭ ବର୍ଷୀୟା ଯୁବତୀଙ୍କ ସମାଧିକୁ କେହି ଖୋଳି ମୃତଦେହର ମୁଣ୍ଡ ନେଇଯାଇଥିବା ଜଣାପଡ଼ିଛି। ଯୁବତୀଙ୍କ ଦେହରେ ହାଡ଼ଫୁଟି ହୋଇଥିବା ଏବଂ ଭଗବାନ ଆସିଥିବା ବିଶ୍ୱାସ କରି ପରିବାର ଲୋକେ ଶବଦାହ ନକରି ତାଙ୍କୁ ପୋତିଥିଲେ। ତାନ୍ତ୍ରିକମାନେ କିଛି କରିପାରନ୍ତି ବୋଲି ଆଶଙ୍କା କରି ଗାଁଲୋକେ ପ୍ରଥମ ୨୧ ଦିନ ମଶାଣିକୁ ଜଗି ରହିଥିବା ମଧ୍ୟ କୁହାଯାଇଛି।

ସକାଳେ ଗାଁଲୋକେ ମଶାଣି ନିକଟକୁ ଯାଇଥିବା ବେଳେ ସମାଧି ଖୋଳା ହୋଇଥିବା ଦେଖିଥିଲେ। ସେଠାରେ ଦୁଇଟି କୁକୁଡ଼ା ବଳି ଦିଆଯାଇଥିବା ଏବଂ ପୂଜାପାଠ ସାମଗ୍ରୀ ପଡ଼ିଥିବା ଜଣାପଡ଼ିଥିଲା। ମୃତଦେହର ମୁଣ୍ଡ ନଥିବା ଦେଖି ଗାଁଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏହି କାଣ୍ଡ ତନ୍ତ୍ରବିଦ୍ୟା କିମ୍ବା ଗୁପ୍ତ ପୂଜାପାଠ ପାଇଁ କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ଏହା ପଛରେ ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ।

ଘଟଣା ପରେ ପରିବାର ଲୋକେ ପୁଣି ମୃତଦେହକୁ ପୋତିବା ସହ ନ୍ୟାୟ ଦାବି କରିଛନ୍ତି। ମଶାଣିରେ ଏଭଳି ଘଟଣା କିଏ ଏବଂ କାହିଁକି ଘଟାଇଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ତନ୍ତ୍ରବିଦ୍ୟା ସମ୍ପର୍କିତ ଅନ୍ଧବିଶ୍ୱାସ ନା ଅନ୍ୟ କୌଣସି କାରଣ ଏହି ଘଟଣା ପଛରେ ରହିଛି, ତାହା ତଦନ୍ତ ପରେ ଜଣାପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ