ବିଧାୟକ ଙ୍କ ନିଜ ଗାଁ କମିରା ସ୍କୁଲ ରେ ଅବ୍ୟବସ୍ଥା ଭିତରେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ କୁ ନେଇ ଅସନ୍ତୋଷ
ବୀରମହାରାଜପୁର : ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ଲକ୍ଷ୍ୟରେ ଶୁକ୍ରବାର ବିଭିନ୍ନ ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ତେବେ ବୀରମହାରାଜପୁର ବ୍ଲକର ୯ଟି ବିଦ୍ୟାଳୟ ମଧ୍ୟରୁ ବିଧାୟକ ରଘୁନାଥ ଜଗଦଲାଙ୍କ ନିଜ ଗ୍ରାମ କମିରାସ୍ଥିତ ୟୁପି ସ୍କୁଲରେ ଏହି କାର୍ଯ୍ୟକ୍ରମର ଆୟୋଜନ ଚରମ ଅବ୍ୟବସ୍ଥା ମଧ୍ୟରେ ହୋଇଥିବା ଅଭିଯୋଗ ହୋଇଛି।
ବିଧାୟକଙ୍କ ନିଜ ଗାଁ ସ୍କୁଲରେ ଏଭଳି ଅବ୍ୟବସ୍ଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କମିରା ୟୁପି ସ୍କୁଲକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ସାମିଲ କରାଯାଇଥିବାରୁ ଶୁକ୍ରବାର ଏଠାରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା। ପ୍ରଧାନଶିକ୍ଷକ ସପନ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସ୍ଥାନୀୟ ସିଆରସିସି ଅନାଦି ଜଗଦଲାଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ।
ତେବେ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କୌଣସି ସ୍ଥାୟୀ ଫଳକ ବ୍ୟବସ୍ଥା କରାଯାଇ ନ ଥିଲା। ଫଳକ ବଦଳରେ ଏକ ବ୍ୟାନର ଟାଙ୍ଗି ସେଥିରେ ଆବଶ୍ୟକୀୟ ତଥ୍ୟ ଲେଖାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ପାଇଁ ଅନ୍ୟ ସ୍ଥାନରେ ଏଲ୍ଇଡି ବ୍ୟବସ୍ଥା ହୋଇଥିବା ବେଳେ ଏଠାରେ ଏକ ଛୋଟ ଟିଭି ଲଗାଯାଇଥିଲା। ଫଳରେ ଉପସ୍ଥିତ ଛାତ୍ରୀଛାତ୍ର, ଅଭିଭାବକ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ଠିକ୍ ଭାବେ ଦେଖିବାରେ ସମସ୍ୟା ଭୋଗିଥିଲେ।
ଏଭଳି ଅବ୍ୟବସ୍ଥାକୁ ନେଇ କାର୍ଯ୍ୟକ୍ରମକୁ ଆସିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଶେଷକରି ବିଧାୟକ ନିଜେ ଉପସ୍ଥିତ ଥିବା ନିଜ ଗାଁ ସ୍କୁଲରେ ଏଭଳି ନିମ୍ନମାନର ଆୟୋଜନକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ପ୍ରଧାନଶିକ୍ଷକ ସପନ ପଧାନ ଓ ସିଆରସିସି ଅନାଦି ଜଗଦଲାଙ୍କୁ ପଚାରିବାରୁ, କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ଶେଷ ପର୍ଯ୍ୟନ୍ତ କୌଣସି ସାମଗ୍ରୀ ଯୋଗାଇ ଦିଆଯାଇ ନ ଥିଲା। ଫଳରେ ବାଧ୍ୟ ହୋଇ ନିଜସ୍ୱ ଉଦ୍ୟମରେ ଏଭଳି ଭାବେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡ଼ିଥିଲା ବୋଲି ସେମାନେ କହିଛନ୍ତି।
ତେବେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଆରମ୍ଭ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ ଉତ୍ସବରେ ଏଭଳି ଅବ୍ୟବସ୍ଥାକୁ ନେଇ କମିରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

