IRCTC Server Down: ପର୍ବପର୍ବାଣୀ ସମୟରେ ରେଳ ଟିକେଟ୍ ବୁକିଂ ସେବା ଠପ୍, ଯାତ୍ରୀ ହନ୍ତସନ୍ତ
ନୂଆଦିଲ୍ଲୀ: ପର୍ବପର୍ବାଣୀ ଋତୁରେ ରେଳ ଟିକେଟ୍ ବୁକିଂ କରିବାକୁ ଯାଇ ଯାତ୍ରୀମାନେ ନାନା ସମସ୍ୟାର ସାମ୍ନା କରୁଛନ୍ତି। ରେଳବାଇର ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥାରେ ସମସ୍ୟା ଦେଖାଦେବାରୁ ଅନେକ ଯାତ୍ରୀ ଟିକେଟ୍ କାଟିପାରୁନାହାନ୍ତି। ଫଳରେ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିବାକୁ ଚେଷ୍ଟା କରୁଥିବା ଲୋକେ ଅସୁବିଧାରେ ପଡ଼ିଛନ୍ତି।
IRCTC ୱେବସାଇଟ୍ ସହ ରେଳ ୱାନ୍ ଏବଂ ରେଳ କନେକ୍ଟ ଆପ୍ ଜରିଆରେ ଟିକେଟ୍ ବୁକିଂ କରିବାକୁ ଚେଷ୍ଟା କଲେ ମଧ୍ୟ ଯାତ୍ରୀମାନେ ବିଫଳ ହେଉଥିବା ଜଣାପଡ଼ିଛି। ଟିକେଟ୍ ବୁକିଂ ସମୟରେ ସ୍କ୍ରିନ୍ରେ ‘Unable to Process Request’ ବାର୍ତ୍ତା ଦେଖାଯାଉଛି। ଏହାଦ୍ୱାରା ଅନଲାଇନ୍ରେ ଟିକେଟ୍ କାଟିବା ପ୍ରକ୍ରିୟା ଅଟକି ଯାଉଛି।
ପର୍ବପର୍ବାଣୀ ସମୟରେ ଘରକୁ ଯିବା ଏବଂ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ଅଧିକ ଲୋକ ଟିକେଟ୍ ବୁକ୍ କରୁଥିବାରୁ ଏହି ସମସ୍ୟା ଯାତ୍ରୀଙ୍କ ଚିନ୍ତା ବଢ଼ାଇଛି। ଟିକେଟ୍ ବୁକିଂ ବ୍ୟବସ୍ଥାରେ ଦେଖାଦେଇଥିବା ଏହି ବାଧା କେବେ ଦୂର ହେବ, ତାହାକୁ ନେଇ ଯାତ୍ରୀମାନେ ଅପେକ୍ଷା କରିଛନ୍ତି।

