ଜମନକିରା ଜଗନ୍ନାଥ ମନ୍ଦିର ପରିସରରେ କରଣ ସମାଜର ଇଷ୍ଟଦେବ ଭଗବାନ ଚିତ୍ରଗୁପ୍ତଙ୍କ ପୂଜୋତ୍ସବ ମହାସମାରୋହରେ ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାସ୍ଥିତ ଐତିହାସିକ ଜଗନ୍ନାଥ ମନ୍ଦିର ପରିସରରେ ସ୍ଥାନୀୟ କରଣ ସମାଜ ପକ୍ଷରୁ ଇଷ୍ଟଦେବ ପ୍ରଭୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ବାର୍ଷିକ ପୂଜୋତ୍ସବ ଅତ୍ୟନ୍ତ ଭକ୍ତିଭାବ ଓ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଶାସ୍ତ୍ରୀୟ ବିଧିବିଧାନ ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ପ୍ରୀତମ କୁମାର ଦାନୀ ଏବଂ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ କର୍ତ୍ତା ଭାବେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ପୂଜକ ପଣ୍ଡିତ ରାଣା ପ୍ରତାପ ପାଢ଼ୀଙ୍କ ପୌରୋହିତ୍ୟରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ବାବାଙ୍କ ଆବାହନ, କଳସ ସ୍ଥାପନ, ହୋମଯଜ୍ଞ, ଲେଖନୀ-ମସିପାତ୍ର ପୂଜନ ଓ ପୂର୍ଣ୍ଣାହୂତି କର୍ମ ଶ୍ରଦ୍ଧାପୂର୍ଣ୍ଣ ପରିବେଶରେ ସମାପିତ ହୋଇଥିଲା।
ଏହି ଉପଲକ୍ଷେ ଜମନକିରା ତଥା ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ କରଣ ସମାଜର ବ୍ୟକ୍ତିବିଶେଷ, ବୟୋଜ୍ୟେଷ୍ଠ ସଦସ୍ୟ, ମହିଳା ଓ ଯୁବପିଢ଼ି ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଅଞ୍ଚଳର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ହୋମଯଜ୍ଞ ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଧୂପ, ଦୀପ, ଆରତି ଗ୍ରହଣ କରିବା ସହ ପ୍ରସାଦ ସେବନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ସମାଜ ମଧ୍ୟରେ ଏକତା, ଆଧ୍ୟାତ୍ମିକତା ଓ ଭାଇଚାରାର ବାର୍ତ୍ତା ବହନ କରି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି।

