ବୀରମହାରାଜପୁର ବ୍ଲକ ର ପ୍ରାଣୀ ସହାୟକ କେନ୍ଦ୍ର ସବୁ ମାନଙ୍କରେ ଝୁଲୁଛି ତାଲା
ବୀରମହାରାଜପୁର :
ସରକାର ଗ୍ରାମାଞ୍ଚଳରେ ପଶୁପାଳନ ଓ ଗୋପାଳନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ତୃଣମୂଳ ସ୍ତରରେ ପଶୁଚିକିତ୍ସା ସେବାର ଅବସ୍ଥା ଏବେ ଶୋଚନୀୟ। ବୀରମହାରାଜପୁର ବ୍ଲକରେ ଥିବା ୬ଟି ଯାକ ପ୍ରାଣୀ ସହାୟକ କେନ୍ଦ୍ରରେ ତାଲା ଝୁଲୁଥିବାରୁ ଗୋଚାଷୀଙ୍କ ସମେତ ଅନ୍ୟ ପଶୁପକ୍ଷୀ ପାଳକମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରାଣୀଧନ ନିରୀକ୍ଷକଙ୍କ ତାଲିମ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡ଼ିଛି। ତେବେ ବିକଳ୍ପ ବ୍ୟବସ୍ଥା ନ କରି ସମସ୍ତ କେନ୍ଦ୍ରକୁ ବନ୍ଦ ରଖାଯିବା ଘଟଣା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତର ଅମରପାଲି, ମୁର୍ଷୁଣ୍ଢୀ ପଞ୍ଚାୟତର କର୍ଡାପାଲ, ଲୁତୁରପଙ୍କ ପଞ୍ଚାୟତର ସଦର ଲୁତୁରପଙ୍କ, ଖଣ୍ଡହତା ପଞ୍ଚାୟତର ସଦର ଖଣ୍ଡହତା, ପିତାମହୁଲ ପଞ୍ଚାୟତର ପିତାମହୁଲ ଏବଂ ହିଲୁଙ୍ଗ ପଞ୍ଚାୟତର ମେଣ୍ଡାମାଳଠାରେ ଗୋଟିଏ ଲେଖାଏଁ ପ୍ରାଣୀ ସହାୟକ କେନ୍ଦ୍ର ରହିଛି। ଏଥିସହ ବୀରମହାରାଜପୁର ଓ ସୁବଳୟାଠାରେ ଦୁଇଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ମଧ୍ୟ ରହିଛି। ପ୍ରତ୍ୟେକ ସହାୟକ କେନ୍ଦ୍ରରେ ଜଣେ ଲେଖାଏଁ ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ନିଯୁକ୍ତ ରହି ପଶୁପକ୍ଷୀଙ୍କ ଚିକିତ୍ସା, ଟିକାକରଣ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେଇଥାନ୍ତି। ମାତ୍ର ଏବେ ସମସ୍ତ କେନ୍ଦ୍ରରେ ତାଲା ଝୁଲୁଛି।
ବର୍ତ୍ତମାନ ଅଞ୍ଚଳରେ ଶ୍ୱେତ ବିପ୍ଳବର ପ୍ରଭାବରେ ଗୋପାଳନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ଗ୍ରାମାଞ୍ଚଳରେ ଅନେକ ଚାଷୀ ଦେଶୀ ଓ ବିଦେଶୀ ଗାଈ ପାଳନ କରି କ୍ଷୀର ବ୍ୟବସାୟ କରୁଥିବା ବେଳେ କେତେକ ଚାଷୀ ମଇଁଷି, ଛେଳି, ମେଣ୍ଢା ଓ ବତକ ପାଳନ କରୁଛନ୍ତି। ଏଥିସହ ବ୍ଲକର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଭାବେ ବ୍ରଏଲର କୁକୁଡ଼ା ଫାର୍ମ ମଧ୍ୟ ଗଢ଼ିଉଠିଛି। ଏସବୁ ପଶୁପକ୍ଷୀଙ୍କ ନିୟମିତ ଚିକିତ୍ସା, ଟିକାକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି। ହେଲେ ସହାୟକ କେନ୍ଦ୍ରଗୁଡ଼ିକ ବନ୍ଦ ରହିବାରୁ ପଶୁପାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏନେଇ ପିତାମହୁଲ ଗ୍ରାମର ଚାଷୀ ଶ୍ରୀକାନ୍ତ କର୍ମୀ କହନ୍ତି, ପ୍ରାଣୀ ସହାୟକ କେନ୍ଦ୍ରରେ ତାଲା ପଡ଼ିଥିବାରୁ ଅଞ୍ଚଳର ଗୋଚାଷୀ ଓ ଅନ୍ୟ ପଶୁପକ୍ଷୀ ପାଳକମାନେ ନିଜ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ସେହିପରି ଉପାନ୍ତ ଅମରପାଲି ଗ୍ରାମର ଗୋଚାଷୀ ଚିତ୍ତରଞ୍ଜନ ପ୍ରଧାନ କହନ୍ତି, ଅଞ୍ଚଳର ଅଧିକାଂଶ ଲୋକ ଗାଈ ସହିତ ଛେଳି ଓ ମେଣ୍ଢା ପାଳନ କରୁଛନ୍ତି। କିନ୍ତୁ କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ପଶୁପକ୍ଷୀଙ୍କ ଚିକିତ୍ସା ମିଳିପାରୁ ନାହିଁ। କେଉଁ କାରଣରୁ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି ତାହା ମଧ୍ୟ ଜାଣିପାରୁ ନାହୁଁ। ତେଣୁ ସମସ୍ତ କେନ୍ଦ୍ରରେ ନିୟମିତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀରସ୍ଥିତ ଏନ୍ଆଇଟିସିଠାରେ ନଭେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଘାସ ଚାଷ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବଲାଙ୍ଗୀର ସର୍କଲ ଅଧୀନରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଉଛି। ଏହି ତାଲିମ ପାଇଁ ବୀରମହାରାଜପୁର ବ୍ଲକର ସମସ୍ତ ପ୍ରାଣୀଧନ ନିରୀକ୍ଷକଙ୍କୁ ମଧ୍ୟ ପଠାଯାଇଛି। ତେବେ ସେମାନଙ୍କ ଅନୁପସ୍ଥିତିରେ କେନ୍ଦ୍ରଗୁଡ଼ିକରେ ବିକଳ୍ପ କର୍ମଚାରୀ ନିଯୁକ୍ତ ନ ହେବାରୁ ସମସ୍ତ କେନ୍ଦ୍ର ବନ୍ଦ ରହିଥିବା ଅଭିଯୋଗ ହେଉଛି।
ଏନେଇ ବୀରମହାରାଜପୁର ଭାରପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଆକାଶ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବ୍ଲକରେ କାର୍ଯ୍ୟରତ ସମସ୍ତ ପ୍ରାଣୀଧନ ନିରୀକ୍ଷକଙ୍କ ପାଇଁ ବଲାଙ୍ଗୀରଠାରେ ପାଞ୍ଚଦିନିଆ ତାଲିମ ଆୟୋଜନ କରାଯାଇଛି। ସେମାନେ ତାଲିମରେ ଯୋଗଦେଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସେ ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ, ବୀରମହାରାଜପୁର ବ୍ଲକର ସମସ୍ତ ପ୍ରାଣୀଧନ ନିରୀକ୍ଷକ ତାଲିମରେ ଯାଇଥିବାରୁ ଉଲୁଣ୍ଡା ବ୍ଲକରୁ ମାତ୍ର ଦୁଇଜଣ ପ୍ରାଣୀଧନ ନିରୀକ୍ଷକଙ୍କୁ ଏଠାକାର ୬ଟି ସହାୟକ କେନ୍ଦ୍ର ଓ ଦୁଇଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଉଲୁଣ୍ଡା ବ୍ଲକର ନିଜସ୍ୱ କାର୍ଯ୍ୟ ସହ ବୀରମହାରାଜପୁର ବ୍ଲକର ଏତେଗୁଡ଼ିଏ କେନ୍ଦ୍ରର ଦାୟିତ୍ୱ ମାତ୍ର ଦୁଇଜଣ କିପରି ତୁଲାଇବେ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. କୃଷ୍ଣଚନ୍ଦ୍ର ମହାନ୍ତଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବୀରମହାରାଜପୁର ବ୍ଲକର ପ୍ରାଣୀଧନ ନିରୀକ୍ଷକମାନେ ତାଲିମରେ ଯୋଗଦେଇଥିବାରୁ ଉଲୁଣ୍ଡା ବ୍ଲକର କୋଟସମଲାଇ କେନ୍ଦ୍ରର ସହାୟକ ଲଳିତ କୁମାର ସାହୁ ଏବଂ କଳାପଥର କେନ୍ଦ୍ରର ଅନ୍ତର୍ଯ୍ୟାମୀ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ବିଭାଗରେ ଆବଶ୍ୟକତାଠାରୁ କମ୍ ସଂଖ୍ୟକ ପ୍ରାଣୀଧନ ନିରୀକ୍ଷକ ଥିବାରୁ ସବୁ କେନ୍ଦ୍ରରେ ନିୟମିତ ସେବା ଯୋଗାଇବା ସମସ୍ୟା ହେଉଥିବା ସେ ସ୍ୱୀକାର କରିଥିଲେ।
ତେବେ ପ୍ରାଣୀଧନ ନିରୀକ୍ଷକଙ୍କ ତାଲିମ ଏକ ଆବଶ୍ୟକୀୟ ବିଭାଗୀୟ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ପାଇଁ ସାଧାରଣ ପଶୁପାଳକମାନେ ଚିକିତ୍ସା ସେବାରୁ ବଞ୍ଚିତ ହେବା କେତେଦୂର ଯୁକ୍ତିଯୁକ୍ତ, ତାହା ଏବେ ବଡ଼ ପ୍ରଶ୍ନ। ଜିଲ୍ଲା ପ୍ରଶାସନ ଓ ପ୍ରାଣୀ ସମ୍ପଦ ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ବିକଳ୍ପ କର୍ମଚାରୀଙ୍କ ବ୍ୟବସ୍ଥା କରିବା ସହ ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ରରେ ନିୟମିତ ଚିକିତ୍ସା ସେବା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

