ତେଲି ପାଲି ପାହାଡରୁ କୋଟି କୋଟି ଟଙ୍କାର ରତ୍ନ ପଥର ବାହାର ରାଜ୍ୟକୁ ହେଉଛି ଚୋରା ଚାଲାଣ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳ ରତ୍ନଗର୍ଭା ଭାବେ ପରିଚିତ। ଏଠାକାର ପାହାଡ଼ପର୍ବତରେ ରହିଛି ବହୁ ମୂଲ୍ୟବାନ ଖଣିଜ ସମ୍ପଦ। ହେଲେ ଏବେ ଏହି ପ୍ରାକୃତିକ ସମ୍ପଦ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ। ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମ ନିକଟସ୍ଥ ଋଷମୁନି ପାହାଡ଼ରୁ ଦୀର୍ଘ ୬ ମାସ ହେଲା ବେଆଇନ ଭାବେ ମୂଲ୍ୟବାନ ରତ୍ନପଥର ଖନନ କରାଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏଠାରୁ ପ୍ରାୟ ୧୫ରୁ ୧୬ କୋଟି ଟଙ୍କାର ରତ୍ନପଥର ଲୁଟ୍ ହୋଇଥିବା ଗ୍ରାମବାସୀ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ରତ୍ନପଥର ସହ ପାହାଡ଼ର ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହେଉଥିବାରୁ ପରିବେଶ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏତେ ଦିନ ଧରି ଏଭଳି କାରବାର ଚାଲିଥିଲେ ମଧ୍ୟ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ମଧ୍ୟ ଏହି ପାହାଡ଼ରୁ ରତ୍ନପଥର ଖନନ ପାଇଁ ଉଦ୍ୟମ ହୋଇଥିଲା। ସେତେବେଳେ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିବାରୁ ଖନନ ବନ୍ଦ ରହିଥିଲା। ମାତ୍ର ଚଳିତବର୍ଷ ପୁଣି ଥରେ ଏହି ବେଆଇନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତିଦିନ ଦଳଦଳ ହୋଇ ଲୋକେ ପାହାଡ଼କୁ ଯାଇ ଶାବଳ ଓ କୋଡ଼ି ସାହାଯ୍ୟରେ ରତ୍ନପଥର ଖୋଳୁଥିବା ଦେଖିବାକୁ ମିଳୁଛି। ରତ୍ନପଥର ବ୍ୟବସାୟୀମାନେ ଶ୍ରମିକଙ୍କୁ ଦୈନିକ ମଜୁରି ଦେଇ ଅତି କମ୍ ମୂଲ୍ୟରେ ଏହି ପଥର ସଂଗ୍ରହ କରି ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି।
ପୂର୍ବରୁ ଅନ୍ୟ କେତେକ ସ୍ଥାନରେ ଜେସିବି ଓ ଅନ୍ୟାନ୍ୟ ଯନ୍ତ୍ରପାତି ଲଗାଇ ରତ୍ନପଥର ଖନନ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଚଢ଼ାଉ ଭୟରେ ଏଠାରେ ଯନ୍ତ୍ରପାତି ବଦଳରେ ଶ୍ରମିକଙ୍କୁ ଲଗାଇ ଖନନ କରାଯାଉଥିବା ଗ୍ରାମବାସୀ କହିଛନ୍ତି। ଏହି ଖନନ ଯୋଗୁ ପାହାଡ଼ର ପରିବେଶ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ରତ୍ନପଥର ଖୋଳିବା ସମୟରେ ବଡ଼ ବଡ଼ ଗଛର ମୂଳ ଦୁର୍ବଳ ହୋଇ ଗଛଗୁଡ଼ିକ ଢଳି ପଡ଼ୁଥିବା ବେଳେ ଅନେକ ଗଛ କାଟି ଦିଆଯାଉଥିବା ଅଭିଯୋଗ ହୋଇଛି।
ଉଲ୍ଲେଖନୀୟ ଯେ, ତେଲିପାଲି ଗ୍ରାମବାସୀ ଦୀର୍ଘଦିନ ଧରି ଏହି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି। ଋଷମୁନି ପାହାଡ଼ରେ ଶାଳ, ପିଆଶାଳ ଭଳି ବହୁ ମୂଲ୍ୟବାନ ଗଛ ରହିଛି। ଗ୍ରାମବାସୀଙ୍କ ଉଦ୍ୟମରେ ସୁରକ୍ଷିତ ରହିଥିବା ଏହି ଜଙ୍ଗଲ ଏବେ ବେଆଇନ ଖନନ ଯୋଗୁ ବିପଦରେ ପଡ଼ିଛି। ରତ୍ନପଥର ଖୋଳି ନେବା ସହ ଗଛର ମୂଳ ମାଟି ହରାଉଥିବାରୁ ବଡ଼ ବଡ଼ ଗଛ ଢଳି ପଡ଼ୁଛି। ଏହାଦ୍ୱାରା କେବଳ ଜଙ୍ଗଲ ସମ୍ପଦ ନୁହେଁ, ପାହାଡ଼ର ପ୍ରାକୃତିକ ସନ୍ତୁଳନ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି।
ତେଲିପାଲି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଗୌରୀଶଙ୍କର ସାହୁ କହିଛନ୍ତି, ଋଷମୁନି ପାହାଡ଼ରେ ବହୁ ମୂଲ୍ୟବାନ ରତ୍ନପଥର ସହିତ ଶାଳ, ପିଆଶାଳ, ଶିଶୁ , ଶାଗୁଆନ ଭଳି ଗଛ ରହିଛି। ଦିନଦ୍ୱିପ୍ରହରରେ ନିୟମିତ ଭାବେ ଏଠାରୁ ରତ୍ନପଥର ଖନନ କରି ନିଆଯାଉଛି। ଫଳରେ ଗଛଗୁଡ଼ିକ ଢଳି ପଡ଼ିବା ସହ ପରିବେଶ ନଷ୍ଟ ହେଉଛି। ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ତାଙ୍କ ଆକଳନ ଅନୁଯାୟୀ, ଏଠାରୁ ପ୍ରାୟ ୧୫ରୁ ୧୬ କୋଟି ଟଙ୍କାର ରତ୍ନପଥର ଲୁଟ୍ ହୋଇସାରିଲାଣି।
ଗତବର୍ଷ ଏ ସମ୍ପର୍କରେ ତତ୍କାଳୀନ ବୀରମହାରାଜପୁର ରେଞ୍ଜ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିବା ଗ୍ରାମବାସୀ କହିଛନ୍ତି। ଏହା ଜଙ୍ଗଲ ଜମି ନୁହେଁ, ତେଣୁ ରାଜସ୍ୱ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେତେବେଳେ ରେଞ୍ଜ ଅଧିକାରୀ କହିଥିବା ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ରତ୍ନପଥର ଚୋରା ଚାଲାଣକୁ ନେଇ ମଧ୍ୟ ସାଂଘାତିକ ଅଭିଯୋଗ ଆସିଛି। ନାମ ଗୋପନ ରଖିବା ସର୍ତ୍ତରେ ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି, ଏଠାରୁ ମିଳୁଥିବା ରତ୍ନପଥରର ରାଜ୍ୟ ବାହାରେ ବେଶ୍ ଚାହିଦା ରହିଛି। ମାଫିଆମାନେ ଶ୍ରମିକଙ୍କଠାରୁ କମ୍ ମୂଲ୍ୟରେ ରତ୍ନପଥର କିଣି କଣ୍ଟାବାଞ୍ଜି ଦେଇ ରାଜସ୍ଥାନର ଜୟପୁରକୁ ଚାଲାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହି କାରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ଲୋକେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି।
ବେଆଇନ ଖନନ ଯୋଗୁ ସରକାର ବିପୁଳ ରାଜସ୍ୱ ହରାଉଥିବା ବେଳେ ପାହାଡ଼ର ପ୍ରାକୃତିକ ସମ୍ପଦ ଓ ସବୁଜିମା ବିପଦରେ ପଡ଼ିଛି। ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଗୌରୀଶଙ୍କର ସାହୁ, ସମ୍ପାଦକ ଅଚ୍ୟୁତାନନ୍ଦ ଭୁକ୍ତା, ସୁରେନ୍ଦ୍ର ବେହେରା, ନରେଶ ସାହୁ, ଦିଲ୍ଲୀପ ସାହୁ ଓ ସମାରୁ ଭୁକ୍ତାଙ୍କ ସମେତ ତେଲିପାଲି ଗ୍ରାମ୍ୟ ପରିଚାଳନା କମିଟି, ରଘୁନାଥ ନାଟ୍ୟ ସଂସଦ ଏବଂ ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ତୁରନ୍ତ ଘଟଣାସ୍ଥଳରେ ତଦନ୍ତ କରି ବେଆଇନ ଖନନ ବନ୍ଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବଲାଙ୍ଗୀର ସର୍କଲ ଖଣି ବିଭାଗର ଭାରପ୍ରାପ୍ତ ଡେପୁଟି ଡାଇରେକ୍ଟର ବୀରକିଶୋର ତିର୍କୀଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ ଟିମ୍ ପଠାଯିବ। ରାଜସ୍ୱ ବିଭାଗ ଓ ଖଣି ବିଭାଗର ମିଳିତ ଟିମ୍ ଖନନ ସ୍ଥଳରେ ଚଢ଼ାଉ କରି ତଦନ୍ତ କରିବେ।
ଛଅ ମାସ ଧରି ଏଭଳି ଅଭିଯୋଗ ବେଆଇନ ଖନନ ଚାଲିଥିବା ସତ୍ତ୍ୱେ ସମ୍ପୃକ୍ତ ବିଭାଗ କାହିଁକି ପଦକ୍ଷେପ ନେଇନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ରତ୍ନପଥର ଲୁଟ୍ ସହ ଶାଳ, ପିଆଶାଳ ଭଳି ମୂଲ୍ୟବାନ ଗଛ ନଷ୍ଟ ହେଉଥିବା ବେଳେ ଋଷମୁନି ପାହାଡ଼ର ସମ୍ପଦ ଓ ସବୁଜିମାର ସୁରକ୍ଷା ପାଇଁ ପ୍ରଶାସନ କେବେ ତତ୍ପର ହେବ, ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।

