Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ; ବହୁ ଜଳ ଯୋଗାଣ ପ୍ରକଳ୍ପ ଅଚଳ,ପାଣି ଟୋପାଏ ପାଇଁ ଜୀବଜନ୍ତୁ କଳବଳ

ବୀରମହାରାଜପୁର : ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟର ପଶ୍ଚିମରେ ତାପମାତ୍ରା କ୍ରମାଗତ ଭାବେ ବଢି ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ପର୍ଯନ୍ତ ରହୁଛି। ସକାଳ ୮ ଘଣ୍ଟା ସମୟରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ଘରୁ ପଦାକୁ ବାହାରି ହେଉ ନାହିଁ । ଅତି ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଆସୁ ନାହାନ୍ତି। ଗ୍ରୀଷ୍ଣ ପ୍ରବାହ ଯୋଗୁଁ ତତଲା ଝାଞ୍ଜି ପବନ ମାରୁଛି । ତେଣୁ ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି।ଏବେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ର ସମସ୍ୟା ଦେଖିବାକୁ ମିଳୁଛି। ବୀରମହାରାଜପୁର ବ୍ଲକର ଅନେକ ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି। ବ୍ଲକର ଦୁର୍ଜନତୈଲା, ମସିଣାପାଲି, ଅମରପାଲି, ବିକଲପୁର, ଲୁତୁରପଙ୍କ (ବାବୁପାଲି), ଗୋବିନ୍ଦପୁର ସମେତ ଅନେକ ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି। ଏହା ସହିତ ପ୍ରକଳ୍ପ ଥିବା ପ୍ରାୟ ସ୍ଥାନରେ ସମସ୍ତ ଙ୍କୁ ପାନୀୟ ଜଳ ଯୋଗାଇବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ବିଭିନ୍ନ ସ୍ଥାନରେ ଥିବା ଥଣ୍ଡା ପାନୀୟ ପ୍ରକଳ୍ପ(ଅମୃତଧାରା) ରୁ ପାଣି ବାହାରୁ ନାହିଁ। ଏଗୁଡିକ ଦୀର୍ଘଦିନ ଧରି ଅଚଳ ହୋଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ।ତେଣୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଅଂଚଳର ହରିହର ଯୋର, ସୁରବାଲି ଯୋର, ବାଇଗଣି ଯୋର, ଘୁଙ୍ଗି ଯୋର ରେ ପାଣି ଟିକିଏ ମଧ୍ୟ ନାହିଁ। ପ୍ରାୟ ଅଧିକଂଶ ଗ୍ରାମର ଜଳାଶୟ ଶୁଖିଲା ପଡିଛି। ଫଳରେ ଗାଧୁଆ ପାଧୁଆ ସହିତ ଅନ୍ୟନ୍ୟ କାମରେ ପାଣିର ଅସୁବିଧା ହେଉଛି। ଗୃହପାଳିତ ପଶୁପକ୍ଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗୃହପାଳିତ ପଶୁଙ୍କ ପାଇଁ ଚହଲା ଖୋଳିବାକୁ ଦାବୀ ହେଉ ଥିଲେ ମଧ୍ୟ ଏହା କରାଯାଉ ନାହିଁ। ଅନେକ ସ୍ଥାନରେ ନଳକୂପ ଅଚଳ ହୋଇଥିଲେ ମଧ୍ୟ ମରାମତି କରାଯାଉ ନ ଥିବା ଅଭିଯୋଗ ହେଉଛି। ଅବଶ୍ୟ ବ୍ଲକ ପ୍ରଶାସନ ତରଫରୁ ନଳକୂପ ମରାମତି କରିବା ପାଇଁ ଏକ ଟିମ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ । ପ୍ରତି ପଞ୍ଚାୟତରେ ଜଳଛତ୍ର ଖୋଲାଯାଇଥିଲେ ମଧ୍ୟ ଜଳଛତ୍ର ରୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁ ନାହିଁ।ଗ୍ରୀଷ୍ଣର ମୁକାବିଲା କରିବା ପାଇଁ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗକୁ କଡା ନିର୍ଦ୍ଦଶ ଦେଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଦେଖିବାକୁ ମିଳୁଛି। ଅଂଶୁଘାତ ମୁକାବିଲା କରିବା ପାଇଁ ଲୋକଙ୍କୁ ସଚେତନ କରିବାରେ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୌଣସି ସ୍ଥାନରେ ସଚେତନ କରାଯାଉ ନାହିଁ।

ଅଂଶୁଘାତ ସଚେତନତା କେବଳ କାଗଜ କଲମରେ ସିମିତ ରହୁଛି। ଅଂଚଳରେ ବ୍ୟାପକ ଜଙ୍ଗଲ କ୍ଷୟ ସହିତ ପକ୍କାଘର ଓ କଂକ୍ରିଟ କରଣ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଥିବା ପରିବେଶବିତ୍ ମାନେ ମତବ୍ୟକ୍ତ କରୁଛନ୍ତି।ବୀରମହାରାଜପୁର ଉପଖଣ୍ଡ ଦେଇ ମହାନଦୀ ପ୍ରବାହିତ ହେଉଥିଲେ ମଧ୍ୟ ନଦୀ ଏବେ ଶୁଖିଲା ପଡିଛି। ଖରା ଯୋଗୁଁ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥନରେ ଦୋକାନ ବଜାର ବନ୍ଦ ରହୁଛି। କାଁ ଭାଁ କେତେକ ସ୍ଥାନରେ ଲସି ଓ ଥଣ୍ଡା ପାନୀୟ ଦୋକାନ ଖୋଲା ରହୁଛି। ଏହି ସମୟରେ ଏକ ପ୍ରକାର ଅଘୋଷିତ କର୍ଫ୍ୟୁର ଭ୍ରମ ଦେଖିବାକୁ ମିଳୁଛି। ତେବେ ଗ୍ରୀଷ୍ଣରେ ପାନୀୟ ଜଳ ସମସ୍ୟା ର ସମାଧାନ କରିବା ସହିତ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପ୍ରଶାସନ ସଚେତନ କରିବାକୁ ସାଧାରଣରେ ଦାବୀ ହେଉଛି।