PM Modi: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ, ସାମ୍ବାଦିକଙ୍କୁ ସାମୂହିକ ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ
ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟକୁ ନେଇ ସାମୂହିକ ଉଦ୍ୟମ ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ମୁଖ୍ୟାଳୟରେ ଆୟୋଜିତ ଦୀପାବଳି ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ସାମ୍ବାଦିକମାନେ ଯେପରି ପ୍ରତିଦିନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖବର ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ କାମ କରନ୍ତି, ସେହିପରି ଦେଶକୁ ୨୦୪୭ ସୁଦ୍ଧା ବିକଶିତ କରିବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବା ଆବଶ୍ୟକ। ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏହି ଅବସରରେ ମୋଦୀ ସାମ୍ବାଦିକତା କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପୂର୍ବରୁ ଖବର ସଂଗ୍ରହ ଓ ପ୍ରସାରଣ ପାଇଁ ବଡ଼ ବଡ଼ ଓବି ଭ୍ୟାନ୍ ଏବଂ ଫ୍ୟାକ୍ସ ମେସିନ୍ ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ଏବେ ମୋବାଇଲ୍ ଫୋନ୍ ଓ ଇନଷ୍ଟାଗ୍ରାମ୍ ରିଲ୍ସ ମାଧ୍ୟମରେ ଖବର ପହଞ୍ଚୁଛି। ଟେକ୍ନୋଲୋଜିର ଏହି ପରିବର୍ତ୍ତନ ସାମ୍ବାଦିକତାର କାର୍ଯ୍ୟଶୈଳୀକୁ ବଦଳାଇ ଦେଇଛି ବୋଲି ସେ କହିଥିଲେ।
ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ଭୂମିକାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ଘଟଣାସ୍ଥଳରେ ପହଞ୍ଚି ଖବର ସଂଗ୍ରହ କରିବା ସହ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ସାହସ ଓ ନିଷ୍ଠାର ସହ କାମ କରୁଥିବା ସେ କହିଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ ମତ ଦେଇଥିଲେ।

