Microsoft Outage: ସର୍ଭର ସମସ୍ୟାରୁ ୭ ଘଣ୍ଟାରୁ ଅଧିକ ସମୟ ଠପ୍ ରହିଲା ମାଇକ୍ରୋସଫ୍ଟ ସେବା, Outlook-Teams ସହ OpenAI ଓ Anthropic ପ୍ଲାଟଫର୍ମ ପ୍ରଭାବିତ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବାରେ ବଡ଼ ଧରଣର ବୈଷୟିକ ତ୍ରୁଟି ଯୋଗୁଁ ହଜାର ହଜାର ୟୁଜର୍ ଅସୁବିଧାରେ ପଡ଼ିଛନ୍ତି। Outlook, Teams, Copilot ସମେତ Microsoft 365ର ଅନେକ ସେବା ୭ ଘଣ୍ଟାରୁ ଅଧିକ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା। ଏହି ବିଭ୍ରାଟର ପ୍ରଭାବ OpenAI ଓ Anthropicର କିଛି ସେବା ଉପରେ ମଧ୍ୟ ପଡ଼ିଥିଲା। Microsoft 365 କନେକ୍ଟର୍ ମାଧ୍ୟମରେ ଏହି ସେବାଗୁଡ଼ିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ମାଇକ୍ରୋସଫ୍ଟର କହିବା ଅନୁସାରେ, ସର୍ଭର୍ରେ ଅପ୍ରତ୍ୟାଶିତ ତ୍ରୁଟି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିଲା। ତ୍ରୁଟିର କାରଣ ଚିହ୍ନଟ କରି ସେବାଗୁଡ଼ିକୁ ପୁନଃ ସ୍ୱାଭାବିକ କରିବା ପାଇଁ କମ୍ପାନୀର ବୈଷୟିକ ଟିମ୍ କାମ କରୁଥିଲା। ଏହି ବିଭ୍ରାଟ ଯୋଗୁଁ ବିଭିନ୍ନ ସେବା ବ୍ୟବହାର କରୁଥିବା ଲୋକେ କାମ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ପରେ ଧୀରେ ଧୀରେ ସେବାଗୁଡ଼ିକର ଉପଲବ୍ଧତା ଫେରିବା ଆରମ୍ଭ ହୋଇଥିବା ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ଏହି ଘଟଣା ପୁଣିଥରେ ଦୈନନ୍ଦିନ କାର୍ଯ୍ୟ, ଯୋଗାଯୋଗ ଓ ଡିଜିଟାଲ୍ ସେବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ଉପରେ ବିଶ୍ୱର ନିର୍ଭରଶୀଳତାକୁ ସାମ୍ନାକୁ ଆଣିଛି।

