Puri Bus Accident: ଯାଜପୁର ବଡ଼ଚଣାରେ ଟ୍ରକ୍କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୨ ଗୁରୁତର ସହ ୧୦ରୁ ଅଧିକ ଆହତ
ଯାଜପୁର: ପୁରୀ ଅଭିମୁଖେ ଆସୁଥିବା ତୀର୍ଥଯାତ୍ରୀ ବସ୍ ଯାଜପୁର ଜିଲ୍ଲା ବଡ଼ଚଣା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗରୁ ପ୍ରାୟ ୫୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏହି ଘରୋଇ ବସ୍ଟି ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ଭୋର୍ ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବସ୍ରୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।
ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ସମସ୍ୟା ପୁଣି ଚର୍ଚ୍ଚାକୁ ଆସିଛି। ରାସ୍ତାକଡ଼ରେ ଟ୍ରକ୍ ଓ ଅନ୍ୟ ଭାରୀଯାନ ଅନିୟମିତ ଭାବେ ଛିଡ଼ା ହୋଇ ରହିବା ଯୋଗୁଁ ରାତି ଓ ଭୋର୍ ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଏପରି ପାର୍କିଂ ରୋକିବା ପାଇଁ ନିୟମିତ ଯାଞ୍ଚ ଓ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନେଇ ପ୍ରଶ୍ନ ଉଠିଛି।

