Religious Tourism: ଧାର୍ମିକ ପର୍ଯ୍ୟଟନରୁ ବଦଳୁଛି କାଶୀର ଅର୍ଥନୀତି, ହଜାର ହଜାର ଲୋକଙ୍କୁ କରିଛି ମିଳିଛି ରୋଜଗାର
ଉତ୍ତରପ୍ରଦେଶ: ଧର୍ମ, ସଂସ୍କୃତି ଓ ଆଧ୍ୟାତ୍ମିକତାର ସହର ଭାବେ କାଶୀ ବା ବାରାଣସୀର ପରିଚୟ ରହିଛି। ଗଙ୍ଗା ଘାଟ, କାଶୀ ବିଶ୍ୱନାଥ ମନ୍ଦିର, ମା’ ଅନ୍ନପୂର୍ଣ୍ଣାଙ୍କ ଧାମ ଏବଂ ପ୍ରାଚୀନ ପରମ୍ପରା ପାଇଁ ଏଠାକୁ ଦେଶ-ବିଦେଶରୁ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ୨୦୨୧ ଡିସେମ୍ବରରେ ଶ୍ରୀ କାଶୀ ବିଶ୍ୱନାଥ ଧାମ କରିଡର ଉଦ୍ଘାଟନ ହେବା ପରେ ସହରର ଧାର୍ମିକ ପର୍ଯ୍ୟଟନକୁ ନୂଆ ଗତି ମିଳିଛି। ଏହାର ପ୍ରଭାବ ଏବେ ବାରାଣସୀର ଅର୍ଥନୀତିରେ ମଧ୍ୟ ଦେଖିବାକୁ ମିଳୁଛି।
ମନ୍ଦିର ପରିସରର ସମ୍ପ୍ରସାରଣ, ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ନତ ସୁବିଧା, ସହଜ ଯାତାୟାତ ଏବଂ ପର୍ଯ୍ୟଟନ ବ୍ୟବସ୍ଥାରେ ସୁଧାର ଯୋଗୁଁ ଏଠାକୁ ଆସୁଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ଏହାର ଲାଭ କେବଳ ମନ୍ଦିର ଓ ଘାଟ ଅଞ୍ଚଳରେ ସୀମିତ ନାହିଁ; ସହରର ବିଭିନ୍ନ ବ୍ୟବସାୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଧାର୍ମିକ ପର୍ଯ୍ୟଟନ ଏବେ କାଶୀର ରୋଜଗାର ଓ ବ୍ୟବସାୟର ଏକ ବଡ଼ ଆଧାର ପାଲଟିଛି।
ନୌକା ଚାଳକଙ୍କଠାରୁ ଆରମ୍ଭ କରି ଦୋକାନୀ, ହୋଟେଲ୍ ମାଲିକ, ଟୁରିଷ୍ଟ ଗାଇଡ୍ ଏବଂ ଟ୍ରାଭେଲ୍ ଏଜେନ୍ସି ପର୍ଯ୍ୟନ୍ତ ହଜାର ହଜାର ଲୋକ ପର୍ଯ୍ୟଟକଙ୍କ ଆଗମନରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଉଛନ୍ତି। ଫଳରେ କାଶୀରେ ଧାର୍ମିକ ପର୍ଯ୍ୟଟନ କେବଳ ଆଧ୍ୟାତ୍ମିକ ଆକର୍ଷଣ ହୋଇ ରହିନାହିଁ, ବରଂ ସ୍ଥାନୀୟ ଲୋକଙ୍କ ଜୀବିକା ଓ ସହରର ଅର୍ଥନୈତିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

