Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kejriwal Threat Case: କେଜ୍ରିୱାଲ ଓ ତାଙ୍କ ପରିବାରକୁ ଧମକ ଏବଂ ୭ କୋଟି ଟଙ୍କା ଦାବି କରିବା ଘଟଣାରେ ଯୁବକ ଗିରଫ! ସମର୍ଥନରେ ପରିବାର, କହିଲେ ଏହା ‘ରାଜନୈତିକ ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (AAP) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପରିବାରକୁ ଧମକ ଦେବା ସହ ୭ କୋଟି ଟଙ୍କା ଦାବି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କୋମଲ ଜାଙ୍ଗ୍ରା ଓରଫ କୋବ୍ରା। ଏହି ଘଟଣାରେ ତାଙ୍କ ପରିବାର ଏବେ ତାଙ୍କ ସମର୍ଥନରେ ଆସିଛନ୍ତି। କୋମଲଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ତାଙ୍କ ବଡ଼ ଭାଇ ତିଳକ ରାଜ ଅଭିଯୋଗ କରିଛନ୍ତି। ପେସାରେ ଓକିଲ ଥିବା ତିଳକଙ୍କ କହିବା ଅନୁସାରେ, ତାଙ୍କ ଭାଇଙ୍କର କୌଣସି ଗ୍ୟାଙ୍ଗ୍‌ ସହ ସମ୍ପର୍କ ନାହିଁ ଏବଂ ତାଙ୍କର ବଡ଼ ଅପରାଧିକ ରେକର୍ଡ ମଧ୍ୟ ନାହିଁ।

ନଭେମ୍ବର ୯ ତାରିଖରେ ପଞ୍ଜାବ ପୁଲିସ ରୋହତକର ଅମୃତ କଲୋନୀସ୍ଥିତ ଏକ ୱାର୍କସପ୍‌ରୁ ୨୮ ବର୍ଷୀୟ କୋମଲଙ୍କୁ ଗିରଫ କରିଥିଲା। ତିଳକଙ୍କ କହିବା ଅନୁସାରେ, କୋମଲ ପୂର୍ବରୁ ଦୁଇଟି ସରକାରୀ ବିଭାଗରେ କାମ କରିଥିଲେ ଏବଂ SSC CGL ପରୀକ୍ଷା ମଧ୍ୟ ଦେଇଥିଲେ। ସେ ପ୍ରଥମେ ଏକ ସିଭିଲ୍‌ ହସ୍ପିଟାଲରେ କ୍ଲର୍କ ଭାବେ କାମ କରିଥିବାବେଳେ ପରେ ମିନି ସଚିବାଳୟର ରାଜସ୍ୱ ବିଭାଗରେ ନିଯୁକ୍ତ ହୋଇଥିଲେ। କାର୍ଯ୍ୟସ୍ଥଳରେ ବିବାଦ ପରେ ସେ ଚାକିରି ଛାଡ଼ିଥିଲେ। ତାଙ୍କ ବିରୋଧରେ ପୂର୍ବରୁ ଏକ-ଦୁଇଟି ଛୋଟ ଝଗଡ଼ା ମାମଲା ଥିବା କଥା ତିଳକ ସ୍ୱୀକାର କରିଛନ୍ତି।

ଅଭିଯୋଗ ଅନୁସାରେ, କେଜ୍ରିୱାଲଙ୍କୁ ଫୋନ୍‌ରେ ଧମକ ଦିଆଯାଇଥିଲା, କିନ୍ତୁ ଫୋନ୍‌ କଲ୍‌ଟି AAP ବିଧାୟକ ଜରନୈଲ ସିଂହଙ୍କୁ କରାଯାଇଥିବାବେଳେ ମୋହାଲିରେ ଏତଲା ରୁଜୁ ହୋଇଥିବା ନେଇ ପରିବାର ପ୍ରଶ୍ନ ଉଠାଇଛି। ଏହାସହ ଜରନୈଲ ସିଂହଙ୍କ ବ୍ୟକ୍ତିଗତ ନମ୍ବର କୋମଲ କିପରି ପାଇଲେ, ସେ ନେଇ ମଧ୍ୟ ତିଳକ ପ୍ରଶ୍ନ କରିଛନ୍ତି। ନଭେମ୍ବର ୧୦ରେ କୋମଲଙ୍କୁ କୋର୍ଟରେ ହାଜର କରାଯିବା ପରେ ପୁଲିସକୁ ଦିନକ ପାଇଁ ରିମାଣ୍ଡ ମିଳିଥିଲା ଏବଂ ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଗିରଫ ପରେ ପରିବାର ତାଙ୍କ ସହ କଥା ହୋଇପାରିନଥିବା କହିଛି। ତେବେ ପରିବାରର ଏହି ଅଭିଯୋଗ ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ ଏବଂ ମାମଲାର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories