Cyclone Akvan: ୧୭ରେ ଭୀଷଣ, ୧୯ରେ ଅତିଭୀଷଣ ରୂପ ନେବ ବାତ୍ୟା; Odisha ପାଇଁ Orange Warning
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘଣ୍ଟାପ୍ରତି ୭ କିମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଏହା ସୋମବାର ବାତ୍ୟାର ରୂପ ନେବ ଏବଂ ନାମ ‘ଅକ୍ଭାନ୍’ ରଖାଯିବ। ନଭେମ୍ବର ୧୭ରେ ଏହା ଭୀଷଣ ବାତ୍ୟା ଓ ୧୯ ତାରିଖରେ ଅତିଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଅତିଭୀଷଣ ରୂପ ନେଲେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ରହିବା ସହ ଝଟକା ପବନ ୧୪୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବାର ପୂର୍ବାନୁମାନ ରହିଛି।
ଆନ୍ଧ୍ରମୁହାଁ ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ନଭେମ୍ବର ୧୮ରୁ ରାଜ୍ୟରେ ହାଲୁକା ବର୍ଷା ଆରମ୍ଭ ହେବାକୁ ଥିବାବେଳେ ୧୯ରୁ ୨୧ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ୧୯ ତାରିଖରେ ପୁରୀ, ଗଞ୍ଜାମ ଓ ଗଜପତି; ୨୦ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି; ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ Orange Warning ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକୁ Yellow Warning ଦିଆଯାଇଛି। ଏହି ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗର ପୂର୍ବାନୁମାନକୁ ଧ୍ୟାନରେ ରଖିବା ଜରୁରୀ।

