Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତକୁ ମିଳୁନି ପାଣ୍ଠି, ବାଧାପ୍ରାପ୍ତ ହେଉଛି ଉନ୍ନୟନ କାର୍ଯ୍ୟତୁରନ୍ତ ପାଣ୍ଠି ପ୍ରଦାନ କରିବାକୁ ରାଷ୍ଟ୍ରୀୟ ସରପଞ୍ଚ ସଂଗଠନ ସଭାପତି ରବି ରଥଙ୍କ ଦାବି…

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ପଞ୍ଚାୟତ ନିର୍ବାଚନ ପାଇଁ କାଉଣ୍ଟଡାଉନ୍‌‍ ଆରମ୍ଭ ହେଲାଣି । ସବୁ ଦଳ ରଣନୀତିରେ ମାତିଲେଣି । କିନ୍ତୁ ପଞ୍ଚାୟତ ବିକାଶ ପାଇଁ କାହାର ଚିନ୍ତା ନାହିଁ । ନୂଆ ଆର୍ଥିକବର୍ଷ(2026-27)ରେ ରାଜ୍ୟର କୌଣସି ପଞ୍ଚାୟତକୁ ଟଙ୍କାଟିଏ ପାଣ୍ଠି ମିଳିନି । ରାସ୍ତା, ଡ୍ରେନ୍‌‍, ପିଇବା ପାଣି ପ୍ରକଳ୍ପ, ସଫେଇ, ପୋଖରୀ ଖୋଳା ଓ ଅନ୍ୟ କୌଣସି ବିକାଶ କାମ କରିବାକୁ ଚାହିଁଲେ ବି ହାତରେ ଟଙ୍କାଏ ନାହିଁ । ଗାଁ ଲୋକେ ଅଭିଯୋଗ କରି ଥକି ଗଲେଣି । ପୁଣି କିଛି ବ୍ଲକ୍‌‍ରେ ବ୍ଲକ୍‌‍ ଡେଭଲପମେଣ୍ଟ ପ୍ଲାନ୍‌‍(ବିପି) ଦାଖଲରେ ବିଡିଓ-ବ୍ଲକ୍‌‍ ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚଙ୍କ ଭିତରେ ଶୀତଳଯୁଦ୍ଧ ଚାଲିଛି । ତୃଣମୂଳସ୍ତରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲାଣି ।ଏ ସମ୍ପର୍କରେ ରାଷ୍ଟ୍ରୀୟ ପଞ୍ଚାତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନର ରାଜ୍ୟ ସଭାପତି ରବି ରଥ ଭୁବନେଶ୍ଵରସ୍ଥିତ ଲୋୟର ପିଏମଜି ଠାରେ ସରପଞ୍ଚମାନେ ଚଳାଇଥିବା ଆନ୍ଦୋଳନକୁ ସମର୍ଥନ କରିବା ସହ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଞ୍ଚାୟତଗୁଡ଼ିକୁ ଶୀଘ୍ର ପାଣ୍ଠି ଯୋଗାଇବାକୁ ଦାବି କରିଥିଲେ । ପଞ୍ଚାୟତକୁ ଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାର ଅଥ କମିଶନ ସୁପାରିଶ ଟଙ୍କା ତୁରନ୍ତ ପ୍ରଦାନ ପାଇଁ ସେ ଦାବି କରିବା ସହ ଅନ୍ୟାନ୍ୟ ଦାବିଗୁଡ଼ିକ ପୂରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ପଞ୍ଚାୟତଗୁଡ଼ିକୁ ପାଣ୍ଠି ଯୋଗାଣ ନ ହେବାରୁ ପଞ୍ଚାୟତଗୁଡ଼ିକ ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ । ପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ।ପଞ୍ଚାୟତ, ବ୍ଲକ୍‌‍ ଓ ଜିଲ୍ଲା ପରିଷଦକୁ ପାଣ୍ଠି ଦେବାକୁ ସରକାର ନୂଆ ଆର୍ଥିକ ବର୍ଷରୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ବିଳମ୍ବରେ ହେଲେ ବି କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ(ସିଏଫ୍ସି) ନୂଆ ଗାଇଡଲାଇନ୍‌‍ ଆଣିଲା । ରାଜ୍ୟ ସରକାର କେଉଁ ପଞ୍ଚାୟତ ଓ ବ୍ଲକ୍କୁ କେତେ ଟଙ୍କା ଦେବେ ଓ କେଉଁ ପ୍ରକଳ୍ପରେ ଏହା ଖର୍ଚ୍ଚ ହେବ, କମିଶନ ସରକାରଙ୍କୁ ତାହା ସୁପାରିସ କଲେ । ସିଏଫ୍‌‍ସି ଗାଇଡଲାଇନ୍‌‍ ମୁତାବକ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା(ଜିପିଡିପି), ବ୍ଲକ୍‌‍ ଉନ୍ନୟନ ଯୋଜନା(ବିପିଡିପି) ଓ ଜିଲ୍ଲା ପରିଷଦ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଅଗଷ୍ଟ 15 ତାରିଖ ସୁଦ୍ଧା ବାର୍ଷିକ ପ୍ଲାନ୍‌‍ ଦାଖଲ ପାଇଁ କଣ୍ଟ ଥିଲା । ସ୍ଵାଭାବିକ ଭାବେ ଆର୍ଥିକ ବର୍ଷ ଆରମ୍ଭକୁ ପଞ୍ଚାୟତକୁ ବକେୟା ଟଙ୍କା ମିଳିଯାଏ ।ସମ୍ପ୍ରତି ଦୀର୍ଘ 7 ମାସ ଧରି ପଞ୍ଚାୟତକୁ ଟଙ୍କାଟିଏ ପାଣ୍ଠି ମିଳିନାହିଁ । ସେପ୍ଟେମ୍ବରରେ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ନୂଆ ପାଣ୍ଠି ମିଳେ । ଏହି ପାଣ୍ଠି ହିଁ ପଞ୍ଚାୟତ ବିକାଶର ମୂଳ ଉତ୍ସ । କେନ୍ଦ୍ରରୁ ପାଣ୍ଠି ମିଳିବା ପରେ ରାଜ୍ୟ ସରକାର ପାଣ୍ଠି ଦିଅନ୍ତି । ପୁଣି ଅକ୍ଟୋବର ଶେଷ ବା ନଭେମ୍ବର ବେଳକୁ ଆଉ ଏକ କିସ୍ତି ମିଳିଯାଏ । ଦୁଇ କିସ୍ତିରେ ପ୍ରତି ପଞ୍ଚାୟତକୁ ହାରାହାରି ଭାବେ 40ରୁ 50ଲକ୍ଷ ଟଙ୍କାର ପାଣ୍ଠି ମିଳିବା କଥା । ଜନସଂଖ୍ୟା ଆଧାରରେ ଏହି ପାଣ୍ଠି ଅଧିକ ଓ କମ୍‌‍ ହୁଏ । କିନ୍ତୁ ଏବେସୁଦ୍ଧା ଦୁଇ କିସ୍ତି ଭିତରୁ ଗୋଟିଏ ବି କିସ୍ତି ମିଳିନି । ପାଣ୍ଠି ମିଳିନଥିବାରୁ ପଞ୍ଚାୟତଗୁଡ଼ିକ ହାତ ବାନ୍ଧି ବସିଛନ୍ତି । ମୁଣ୍ଡ ଉପରେ ନିର୍ବାଚନ । ପୁଣି ଅଞ୍ଚଳର ବିକାଶକୁ ନେଇ ଲୋକଙ୍କ ଅଭିଯୋଗ, ଦାବିର ଲମ୍ବା ତାଲିକା । ପାଣ୍ଠି ନ ଥିବାରୁ ଗୋଟିଏ ବି ବିକାଶ କାମ ଆଗେଇ ପାରୁନି । ପାଣ୍ଠି ଆସିନି, କାମ କେମିତି କରିବୁ? ଜନପ୍ରତିନିଧିମାନେ ଲୋକଙ୍କୁ ସିଧା ସିଧା ଏଭଳି ଶୁଣାଇ ଦେଉଛନ୍ତି । ବିରୋଧୀ ଦଳର ଜନପ୍ରତିନିଧିମାନେ ଏହି ସୁଯୋଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଉଛନ୍ତି । କିନ୍ତୁ ଶୀର୍ଷସ୍ତରରେ ଏହାକୁ ନେଇ କିଛି ନିଷ୍ପତ୍ତି ହୋଇପାରୁନି ।ପଞ୍ଚାୟତକୁ ପାଣ୍ଠି ମିଳିନଥିବାରୁ ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଯେଭଳି ପ୍ରସଙ୍ଗ କରିବା କଥା, ତାହା କରିବାରେ ବିଫଳ ହୋଇଛନ୍ତି । ସେପଟେ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ନେଇ ଅନେକ ବ୍ଲକ୍ରେ ବିଡିଓ ଏବଂ ବ୍ଲକ୍‌‍ ଅଧ୍ୟକ୍ଷ ଓ ସମିତି ସଭ୍ୟଙ୍କ ଭିତରେ ଟଣାଓଟରା ଚାଲିଛି । ବ୍ଲକ୍‌‍ ବୈଠକରେ ଅଧ୍ୟକ୍ଷ/ଅଧ୍ୟକ୍ଷା, ସମିତି ସଭ୍ୟ ଓ ସରପଞ୍ଚ ଓ ଅଧିକାରୀଙ୍କ ଉପସ୍ଥିତିରେ ବାର୍ଷିକ ଯୋଜନା(ବିପିଡିପି) ପ୍ରସ୍ତୁତ ନେଇ ଆଲୋଚନା ହୁଏ । ସବୁ ସଦସ୍ୟଙ୍କ ମତାମତ ନେଇ କେଉଁ ପ୍ରକଳ୍ପ ସ୍ଥାନ ପାଇବ ତାହା ଚୂଡ଼ାନ୍ତ କରାଯାଏ । ଏ ନେଇ ରିଜୋଲ୍ୟୁସନ ପ୍ରସ୍ତୁତ ହୁଏ । ରିଜୋଲ୍ୟୁସନ ଆଧାରରେ ବିପିଡିପି ତିଆରି କରି ଇ-ଗ୍ରାମ ସ୍ଵରାଜ ପୋର୍ଟାଲରେ ଅପଲୋଡ୍‌‍ କରାଯାଏ । କିନ୍ତୁ ଅନେକ ବ୍ଲକ୍ରେ ବିପିଡିପି ତିଆରି ବେଳେ ଜନପ୍ରତିନିଧିଙ୍କ ମତ ନିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ପଞ୍ଚାୟତକୁ ପାଣ୍ଠି ମିଳିନଥିବାରୁ ସରପଞ୍ଚ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି । ସରପଞ୍ଚ ମହାସଂଘ ସମ୍ପାଦକ ତପନ ଚକ୍ରବର୍ତ୍ତୀ କହିଛନ୍ତି, ପଞ୍ଚାୟତକୁ ପାଣ୍ଠି ମିଳିନଥିବାରୁ କୌଣସି ବିକାଶମୂଳକ କାମ କରିପାରୁନୁ । ଏହା ବିରୋଧରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ । ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ କହିଛନ୍ତି, ପଞ୍ଚାୟତକୁ ପାଣ୍ଠି ମିଳୁନଥିବାରୁ ବିକାଶ କାମ ବାଧାପ୍ରାପ୍ତ ହେଉଛି । ତୁରନ୍ତ ପାଣ୍ଠି ଦିଆଯାଉ ।କେନ୍ଦ୍ର ସରକାରଙ୍କ ଇ-ଗ୍ରାମ ସ୍ଵରାଜ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟର ମୋଟ 6749 ପଞ୍ଚାୟତ ଭିତରୁ 6721 ପଞ୍ଚାୟତ ଜିପିଡିପି ଦାଖଲ କରିଛନ୍ତି । ଆଉ 28ଟି ପଞ୍ଚାୟତ ଜିପିଡିପି ଅପଲୋଡ୍‌‍ କରିନାହାନ୍ତି । ସେହିଭଳି 314ଟି ବ୍ଲକ୍ରୁ 306ଟି ବ୍ଲକ୍‌‍ ନିଜ ବାର୍ଷିକ ପ୍ଲାନ୍‌‍ ଦାଖଲ କରିଛନ୍ତି । ଆଉ 8ଟି ବ୍ଲକ୍‌‍ ପ୍ଲାନ୍‌‍ ଦାଖଲ କରିନାହାନ୍ତି । 30ଟି ଜିଲ୍ଲା ପରିଷଦରୁ 8ଟି ଜିଲ୍ଲା ପରିଷଦ ଏବେ ସୁଦ୍ଧା ବାର୍ଷିକ ପ୍ଲାନ୍‌‍ ଦେଇନାହାନ୍ତି । କଟକ, ଯାଜପୁର, ଭଦ୍ରକ, ପୁରୀ, ସୋନପୁର, କଳାହାଣ୍ଡି, ଗଞ୍ଜାମ ଓ ନବରଙ୍ଗପୁର ଏବେଯାଏ ପ୍ଲାନ୍‌‍ ଦାଖଲ କରିନାହାନ୍ତି । ଅଗଷ୍ଟ 15 ତାରିଖ ସୁଦ୍ଧା ପ୍ଲାନ୍‌‍ ଦାଖଲ କରିନଥିବା ପଞ୍ଚାୟତିରାଜ ସଂସ୍ଥା ଚଳିତବର୍ଷର ପାଣ୍ଠି ହରାଇବେ ବୋଲି ପୂର୍ବରୁ ସରକାର ସତର୍କ କରାଇଥିଲେ । ଏହାସତ୍ତ୍ୱେ ଏହି ଜିଲ୍ଲା ପରିଷଦ ଓ କିଛି ପଞ୍ଚାୟତ, ବ୍ଲକ୍‌‍ ପ୍ଲାନ୍‌‍ ଦାଖଲରେ ବିଫଳ ହୋଇଛନ୍ତି ।ସମ୍ପାଦକ ମହୋଦୟ (ରବି ରଥ)ସଦର ପ୍ରକାଶନ ନିମନ୍ତେ ଅନୁରୋଧ ସଭାପତି, ରାଷ୍ଟ୍ରୀୟ ପଞ୍ଚାତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନ, ଓଡ଼ିଶା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories