Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Naraj Data Centre: ଜଳ ଓ ବିଦ୍ୟୁତ ବ୍ୟବହାରକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିରୋଧୀ

କଟକ ନରାଜରେ ପ୍ରସ୍ତାବିତ 1,000 ମେଗାୱାଟ୍ ଡାଟା ସେଣ୍ଟରର ଜଳ ଓ ବିଦ୍ୟୁତ ବ୍ୟବହାରକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି।

କଟକର ନରାଜରେ ପ୍ରସ୍ତାବିତ ଡାଟା ସେଣ୍ଟର ପାଇଁ କେତେ ପାଣି ଓ ବିଦ୍ୟୁତ ଖର୍ଚ୍ଚ ହେବ, ତାହାକୁ ନେଇ 25 ନଭେମ୍ବରରେ ବିଧାନସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ନରାଜରେ 250 ଏକର ଜମିରେ 1,000 ମେଗାୱାଟ୍ କ୍ଷମତାର ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ପ୍ରସନ୍ନଙ୍କ ଦାବି ଅନୁସାରେ, ସରକାର ଅନୁମତି ଦେଇଥିବା ଏହି କେନ୍ଦ୍ର ଚଳାଇବା ପାଇଁ ଦିନକୁ 3 କୋଟି ଲିଟର ପାଣି ଓ 2ରୁ 4 କୋଟି ୟୁନିଟ୍ ବିଦ୍ୟୁତ ଲାଗିବ। ଏଥିଯୋଗୁଁ କଟକ-ଭୁବନେଶ୍ୱର ସମେତ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଜଳସଙ୍କଟ ଦେଖାଦେଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ବିଦ୍ୟୁତ ଅଭାବ ଓ ବାୟୁ ପ୍ରଦୂଷଣ ବଢ଼ିବାର ଆଶଙ୍କା ମଧ୍ୟ ସେ ଉଠାଇଛନ୍ତି। ପ୍ରକଳ୍ପରେ 1.4 ଲକ୍ଷ କୋଟିର ନିବେଶ ହେଉଥିଲେ ମଧ୍ୟ ମାତ୍ର 1,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହି ସେ ସରକାରଙ୍କଠାରୁ ଉତ୍ତର ଲୋଡ଼ିଛନ୍ତି।

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦାବି କରିଛନ୍ତି ଯେ ଆମେରିକା ଡାଟା ସେଣ୍ଟରକୁ ପ୍ରତ୍ୟାଖ୍ୟାନ କରୁଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର କାହିଁକି ଏହି ପ୍ରକଳ୍ପକୁ ଆମନ୍ତ୍ରଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ମଧ୍ୟ ବିରୋଧରେ ସ୍ୱର ମିଳାଇଛି। ଜବାବରେ ବିଜେପି କହିଛି ଯେ ପାଣି ବ୍ୟବହାର ସମ୍ପର୍କରେ ପ୍ରକୃତ ତଥ୍ୟ ନ ଜାଣି ବିରୋଧୀ ଲୋକଙ୍କୁ ଭ୍ରମିତ କରୁଛନ୍ତି। ବିରୋଧୀଙ୍କ ଆଭିମୁଖ୍ୟକୁ ଗଛ ନ ଲଗାଇ ଛାଇ ଖୋଜିବା ସହ ତୁଳନା କରିଛି ଦଳ। ନରାଜ ପ୍ରକଳ୍ପକୁ ସ୍ଥାନୀୟ ଲୋକ ମଧ୍ୟ ବିରୋଧ କରିଛନ୍ତି।

ବିଶେଷଜ୍ଞଙ୍କ ମତରେ, ଡାଟା ସେଣ୍ଟରରେ ହଜାର ହଜାର ସର୍ଭର ଓ AI ଚିପ୍ ଦିନରାତି ଚାଲିବାରୁ ଗରମ ହୋଇଯାଏ। ସେଗୁଡ଼ିକୁ ଥଣ୍ଡା ରଖିବାକୁ ବହୁ ପାଣି ଦରକାର ହୁଏ ଏବଂ ଏହି ପ୍ରକ୍ରିୟାରେ ପାଣି ବାଷ୍ପ ହୋଇ ବାୟୁମଣ୍ଡଳକୁ ଚାଲିଯାଏ। ଗତ ଅକ୍ଟୋବରରେ ଜଟଣୀର ଇନଫୋଭ୍ୟାଲି-2ରେ RBIର ନୂଆ ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଉଦ୍‌ଘାଟିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ