Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଗଦ ଅର୍ଥ, ଶସ୍ତାରେ ସିଲିଣ୍ଡର ଏବଂ ମାଗଣା ବିଜୁଳି; ଏମପି ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ବଡ଼ ଘୋଷଣା

ଜବଲପୁର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପରେ କଂଗ୍ରେସ ମଧ୍ୟ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି। ବିଜେପି ଲାଡଲି ବହନା ଯୋଜନାରେ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦେବା ଆରମ୍ଭ କରିଥିବା ବେଳେ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ବାର୍ଷିକ ୧୮ ହଜାର ଟଙ୍କା(ମାସିକ ୧୫୦୦) ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି। ସୋମବାର ଜବଲପୁରରେ ପ୍ରିୟଙ୍କା ଗାନ୍ଧୀ ୫୦୦ ଟଙ୍କାରେ ସିଲିଣ୍ଡର ଏବଂ ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି।

ପ୍ରିୟଙ୍କା ଗାନ୍ଧୀ ମଞ୍ଚରେ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ କହିଛନ୍ତି, କଂଗ୍ରେସ ସରକାରକୁ ଆସିଲେ ଏସବୁ ଘୋଷଣା ଲାଗୁ କରାଯିବ। ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲୁ ଏବଂ ସରକାର ଗଠନ ହେବା ମାତ୍ରେ ସେସବୁ ପୂରଣ କରିଛୁ। ପ୍ରିୟଙ୍କା କହିଛନ୍ତି ମଧ୍ୟ ପ୍ରଦେଶରେ ଦଳ କ୍ଷମତାକୁ ଆସିଲେ ପ୍ରତି ମାସରେ ମହିଳମାନଙ୍କୁ ୧୫୦୦ ଟଙ୍କା ଦିଆଯିବ। ୫୦୦ ଟଙ୍କାରେ ସିଲିଣ୍ଡର ଗ୍ୟାସ୍ ମିଳିବ। ୧୦୦ ୟୁନିଟ୍ ମାଗଣାରେ ବିଜୁଳି ଦିଆଯିବ। ଏପରିକି ୨୦୦ ୟୁନିଟ୍ ବିଜୁଳି ଯାଏ ଅଧା ବିଲ୍ ଦେବାକୁ ପଡ଼ିବ। ମଧ୍ୟପ୍ରଦେଶରେ ମଧ୍ୟ ପୁରୁଣା ପେନସନ ସ୍କିମ ଲାଗୁ କରାଯିବ। କୃଷକଙ୍କ ଋଣଛାଡ଼ କାମ ଆରମ୍ଭ ହୋଇଥିଲା ଏବଂ ଅବଶିଷ୍ଟ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ମୁଖ୍ୟମନ୍ତ୍ରୀ ଲାଡଲି ବହନା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଗରିବ ଏବଂ ମଧ୍ୟମ ବର୍ଗର ପ୍ରାୟ ୧.୨୫ କୋଟି ମହିଳାଙ୍କ ଖାତାରେ ପ୍ରତି ମାସରେ ୧୦୦୦ ଟଙ୍କା ଜମା କରାଯିବ। ଶିବରାଜ ସିଂ ଚୌହାନ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ଧିରେ ଧିରେ ଏହି ସହାୟତା ରାଶି ବଢି ମାସିକ ୩୦୦୦ ଟଙ୍କାରେ ପହଞ୍ଚିବ। ଉଲ୍ଲେଖନୀୟ ରାଜ୍ୟରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ୫ କୋଟି ୪୦ ଲକ୍ଷ ମତଦାତା ଅଛନ୍ତି। ଏଥିରୁ ମହିଳା ଭୋଟରଙ୍କ ସଂଖ୍ୟା ୨ କୋଟି ୬୦ ଲକ୍ଷ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ