Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଯେବେ କୃଷକ ନିଜର ପ୍ରାଣ ତ୍ୟାଗ କରୁଥିଲେ, ସେତେବେଳେ ଦିଲ୍ଲୀରେ ବସିଥିବା ‘ଭୟାଳୁ’ ଏମାନଙ୍କ ଖବର ଚାପିବାରେ ଲାଗିଥିଲା’

ନୂଆଦିଲ୍ଲୀ: କଂଗ୍ରେସ ଟୁଇରର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସିଙ୍କ ସଙ୍ଗୀନ ଅଭିଯୋଗକୁ ନେଇ ମଙ୍ଗଳବାର କେନ୍ଦ୍ରର ମୋଦୀ ସରକାର ଉପରେ ଜୋରଦାର ହମଲା କରିଛି। ଦଳର ସାଧାରଣ ସଂପାଦକ ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ଏହି ଦାବିରୁ ପୁଣି ଥରେ ପ୍ରମାଣିତ ହୋଇଗଲା ଯେ, ବର୍ତ୍ତମାନର ସରକାର ଗଣନ୍ତ୍ରକକୁ ଦୁର୍ବଳ କରିବାରେ ଲାଗିଛି। କଂଗ୍ରେସ ଜ୍ୟାକ୍ ଡୋର୍ସିଙ୍କ ଭିଡିଓକୁ ଟୁଇଟ୍ କରି ଲେଖିଛି, ଯେବେ ଆମର କୃଷକ ନିଜର ଅଧିକାର ପାଇଁ ଦିଲ୍ଲୀ ସୀମାରେ ଖରା, ବର୍ଷା ଏବଂ ଶୀତକୁ ଖାତିର ନକରି ବସିଥିଲେ ଏବଂ ନିଜର ପ୍ରାଣ ତ୍ୟାଗ କରୁଥିଲେ, ସେହି ସମୟରେ ଦିଲ୍ଲୀରେ ବସିଥିବା ଭୟାଳୁ ତାନାଶାହୀ ଆନ୍ଦୋଳନର ଖବରକୁ ଚପାଇବାରେ ଲାଗିଥିଲା। ଟୁଇଟରକୁ ଧମକ ଦେଉଥିଲା ଯେ, କୃଷକ ଆନ୍ଦୋଳନ ଦେଖାଇଲେ ଦପ୍ତର ବନ୍ଦ କରି ଦେବୁ। ଦୁର୍ଭାଗ୍ୟର କଥା ଏହି ଆନ୍ଦୋଳନରେ ୭୩୩ କୃଷକ ସହିଦ ହୋଇଗଲେ। କିନ୍ତୁ ତାନଶାହା ଏମାନଙ୍କ ଶବ ଉପରେ ନିଜର ଛବି ଚମକାଇବାରେ ଲାଗିଛି।

କଂଗ୍ରେସର ମୁଖପାତ୍ର ଶ୍ରୀନେତ ମଧ୍ୟ ସରକାରଙ୍କ ସମାଲୋଚନା କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ଉପରେ ୬ ମାସ ରୋକ୍ ଲଗାଯାଇଥିଲା। ଯେଉଁ ସମୟରେ କୃଷକମାନେ ଆନ୍ଦୋଳନ କରୁଥିଲେ, ସେମାନଙ୍କୁ କେବଳ ଖଲିସ୍ତାନୀ, ପାକିସ୍ତାନୀ ଏବଂ ଆତଙ୍କବାଦୀ କୁହାଯାଉନଥିଲା ବରଂ ଟୁଇଟରକୁ ବି ଧମକ ଦିଆଯାଉଥିଲା। କୃଷକ ଆନ୍ଦୋଳନ ସମୟରେ ବିଜେପି ପକ୍ଷରୁ ତଥାକଥିତ ଏକ ଟୁଲ୍ କିଟ୍ ମଧ୍ୟ ଜାରି କରାଯାଇଥିଲା। ଆଉ ଅଭିଯୋଗ ହେଉଥିଲା ଯେ, କଂଗ୍ରେସ ଟୁଲକିଟର ବ୍ୟବହାର କରୁଛି। କିନ୍ତୁ ଏହାର ସତ୍ୟାସତ୍ୟ ପଦାକୁ ଆସିଛି।

ଯେଉଁ ତଥ୍ୟ ସାମ୍ନାକୁ ଆସିଛି ବାସ୍ତବରେ ଏହା ଭୟାବହ ରହିଛି। ଏଥିରୁ ସ୍ପଷ୍ଟ ଯେ, ଦେଶର ପ୍ରଧାନମନ୍ତ୍ରୀ ଏବଂ ସରକାର ଭୟ କରୁଛନ୍ତି। ଯେବେ ସରକାର ଅଡୁଆରେ ପଡନ୍ତି ସେତେବେଳେ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ହେଉଥିବା କଥା କୁହନ୍ତି ବୋଲି ସୁପ୍ରିୟା ସିନେତ କହିଛନ୍ତି। ଆଜି ଜ୍ୟାକ୍ ଡୋର୍ସିଙ୍କୁ ମିଥ୍ୟା କହିବାର କଣ ଆବଶ୍ୟକତା ରହିଛି ? ମିଛ କହିଲେ ତାଙ୍କୁ କଣ ମିଳିବ ? ରାହୁଲ ଗାନ୍ଧୀ କହି ଆସୁଛନ୍ତି ଯେ, ଦେଶର ଗଣତନ୍ତ୍ରକୁ ଦୁର୍ବଳ କରାଯାଉଛି। ଡୋର୍ସିଙ୍କ ବୟାନରୁ ଏହା ପ୍ରମାଣିତ ହୋଇ ଯାଉଛି ବୋଲି କଂଗ୍ରେସର ମୁଖପାତ୍ର କହିଛନ୍ତି।

ଜ୍ୟାକ୍ ଡୋର୍ସିଙ୍କ ଅଭିଯୋଗ ଉପରେ ରାଜୀବ ଚନ୍ଦ୍ରଶେଖର ଜବାବ ଦେଇ କହିଛନ୍ତି, ଟୁଇଟର ଇତିହାସର ଏକ ସନ୍ଦିଗ୍ଧ ଏବଂ ମଳିନ ସମୟକୁ ସ୍ଵଚ୍ଛ କରିବା ପାଇଁ ଏକ ଅପପ୍ରୟାସ। ଟୁଇଟର ଏମିତି ବ୍ୟବହାର କରିଛି ଯେମିତି ତା ଉପରେ ଭାରତୀୟ ଆଇନ ଲାଗୁ ହୋଇ ପାରିବ ନାହିଁ। ଭାରତ ଏକ ସାର୍ବଭୌମତ୍ଵ ରାଷ୍ଟ୍ର ଏବଂ ତାଙ୍କୁ ଅଧିକାର ଯେ, ସେ ସୁନିଶ୍ଚିତ କରିବେ ଯେ ଭାରତରେ କାମ କରୁଥିବା ସମସ୍ତ କମ୍ପାନୀ ଭାରତୀୟ ଆଇନର ପାଳନ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ