ଥଣ୍ଡା ପାନୀୟ ଜଳ ଯୋଗାଇ ପାରୁନି ଅମୃତଧାରା ପ୍ରକଳ୍ପ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତରେ ଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ(ଅମୃତଧାରା)ଦୀର୍ଘଦିନ ହେଲା ଅଚଳ ହୋଇ ପଡିଛି । ଫଳରେ ଲୋକେ ଅମୃତଧାରା ରୁ ଥଣ୍ଡାପାଣି ପାଇ ପାରୁ ନାହାନ୍ତି।ଏଗୁଡିକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୬ଟି ଅମୃତଧାରା ପ୍ରକଳ୍ପ ରହିଛି।ଲୋକଙ୍କୁ ଥଣ୍ଡା ପାଣି ଯୋଗାଇବା ଉଦ୍ଦେଶ୍ୟରେ କରାଯାଇଥିବା ଉକ୍ତ ଅମୃତଧାରା ଗୁଡିକ ଲୋକଙ୍କ ଶୋଷ ମେଣ୍ଟାଇ ପାରୁ ନାହିଁ। ପଞ୍ଚାୟତର ଗୌଡଗାଡ ଗ୍ରାମରେ ଗୋଟିଏ ,ଅମରପାଲି ଗ୍ରାମରେ ଦୁଇଟି , ସ୍ଥାନୀୟ ହାଇସ୍କୁଲ ପରିସର ରେ ଦୁଇଟି ଓ ବହଳପଦର ରେ ଗୋଟିଏ ଅମୃତ ଧାରା ପ୍ରକଳ୍ପ କରାଯାଇଛି। ପ୍ରାୟ ୪ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା ଏହି ସବୁ ପ୍ରକଳ୍ପ।ଗ୍ରାମପଞ୍ଚାୟତ ପାଣ୍ଠି ରୁ ଚାରୋଟି ପ୍ରକଳ୍ପ କରାଯାଇଥିବା ବେଳେ ଗୋଟିଏ ପଞ୍ଚାୟତ ସମିତି ଓ ଆଉ ଗୋଟିଏ ଜିଲ୍ଲା ପରିଷଦ ପାଣ୍ଠିରୁ ନିର୍ମାଣ କରାଯାଇଥିଲା। ୬ଟି ଅମୃତ ଧାରା ରୁ ଏବେ ବହଳପଦର ରେ ଥିବା ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ଥିବା ବେଳେ ବାକି ୫ଟି ପ୍ରକଳ୍ପ ଦୀର୍ଘ ଏକ ବର୍ଷ ହେବ ଅଚଳ ହୋଇ ପଡିଛି। ପଞ୍ଚାୟତ ପାଣ୍ଠିରୁ ନିର୍ମିତ ପ୍ରକଳ୍ପ ଗୁଡିକ ପାଇଁ ବୋରୱେଲ ଖନନ କରି ମଟର ଲଗାଯାଇଥିଲା । ମାତ୍ର ଅମରପାଲି ହାଇସ୍କୁଲ ପରିସରରେ ଥିବା ପ୍ରକଳ୍ପ ପାଇଁ ନୂଆଁ ବୋରୱେଲ ଖନନ କରା ଯାଇ ନ ଥିବା ବେଳେ ସ୍କୁଲ ପରିସରରେ ଥିବାଏକ ପୁରୁଣା ବୋରୱେଲ ରୁ ସଂଯୋଗ ଦିଆଯାଇଥିଲା। ସବୁ ପ୍ରକଳ୍ପ ରେ ଫିଲଟର , ଫ୍ରିଜର ଓ ପାଣିଟାଙ୍କି ମଧ୍ୟ ଲାଗିଥିଲା।ପ୍ରକଳ୍ପ ଗୁଡିକ ମଧ୍ୟରୁ ଅମରପାଲି ର ୨ଟି ଓ ବହଳପଦର ଏବଂ ଗୌଡଗାଡ ର ଗୋଟିକ ଲେଖାଏଁ ପ୍ରକଳ୍ପ କୁ ତତ୍କାଳିନ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତ ତା୧୬/୭/୨୦୨୧ ରେ ଉଦଘାଟନ କରିଥିଲେ।ପ୍ରକଳ୍ପ ଉଦଘାଟନର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। କେବଳ ଗୌଦଗାଡ ପ୍ରକଳ୍ପ ଦିନ କେଇଟା ଚାଲି ଅଚଳ ହୋଇପଡିଛି। ରାସ୍ତା କଡରେ ଥିବା ଉକ୍ତ ପ୍ରକଳ୍ପ ରୁ ପଥିକମାନେ ପାଣି ନେବା ସହିତ ସ୍ଥାନୀୟ ଅଂଚଳର ଲୋକେ ମଧ୍ୟ ପାନୀୟ ଜଳ ନେଉଥିଲେ। ଏବେ ପ୍ରକଳ୍ପ ଗୁଡିକ ଅଚଳ ହେତୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଠିକ ସେହିପରି ବୀରମହାରାଜପୁର ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ନିର୍ମିତ ଏହି ପ୍ରକଳ୍ପ ଗୁଡିକ ଗୋତିଏ ଦୁଇଟି ଛାଡିଦେଲେ ପ୍ରାୟ ସବୁ ଗୁଡିକ ବିଭିନ୍ନ କାରଣରୁ ଅଚଳ ହୋଇ ପଡିଥିବା ଜଣାପଡିଛି l ବ୍ଲକର ଉପାନ୍ତ ଅଂଚଳରେ ଥିବା ଅମରପାଲି,ବହଳପଦର ଓ ଗୌଡଗାଡ ଗ୍ରାମରେ ଫ୍ଲୋରାଇଡ ଯୁକ୍ତ ପାଣି ପାଇଁ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ଏବେ ଏହି ପ୍ରକଳ୍ପ ଗୁଡିକୁ ଅଚଳ ଯୋଗୁଁ ଲୋକେ ଫ୍ଲୋରାଇଡ ଯୁକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଉକ୍ତ ପ୍ରକଳ୍ପ ଗୁଡିକୁ ମରାମତି କରିବାକୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭକରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି।
ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ୪୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରଗୁଛି। ଅଂଚଳର ଜଳାଶୟ ଗୁଡିକ ଶୁଖିଲା ପଡିଛି। ଗ୍ରୀଷ୍ଣ ପ୍ରବାହକୁ ଦେଖି ଜିଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ଅଚଳ ନଲକୂପ ଓ ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଯାଥାଶୀଘ୍ର କାର୍ଯକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଉକ୍ତ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି। ଗୌଡଗାଡ ପ୍ରକଳ୍ପ ରେ ନିମ୍ନମାନର ଉପକରଣ ଲାଗିଥିବା ଯୋଗୁଁ ଏହାର ମଟର,ଫ୍ରିଜର ଓ ଫିଲଟର ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଅମରପାଲି ର ପ୍ରକଳ୍ପ ରେ ସାମାନ୍ୟ କାମ ଯୋଗୁଁ ଅଚଳ ହୋଇପଡିଛି। ଅମୃତଧାରା ପ୍ରକଳ୍ପ ଅଚଳ ହୋଇଥିବା ନେଇ ବହଳପଦର ସରପଞ୍ଚ ନିରୁପମା ସେଠୀ ଙ୍କୁ ପଚାରିବାରୁ ଖୁବଶୀଘ୍ର ପ୍ରକଳ୍ପ ଗୁଡିକ ମରାମତି କରି କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ସଂପ୍ରତି ପାନୀୟ ଜଳ ସମସ୍ୟାକୁ ଦେଖି ଅଚଳ ଥିବା ସମସ୍ତ ଅମୃତଧାରା ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର କାର୍ଯକ୍ଷମ କରିବାକୁ ଦାବୀ ହେଉଛି।