ମୋ-ଘର ଯୋଜନା ପାଇଁ ଆଜିଠୁ ଆରମ୍ଭ ଆବେଦନ


ଭୁବନେଶ୍ବର: ମୋ-ଘର ଯୋଜନାରେ ସହାୟତା ପାଇଁ ଆଜିଠାରୁ ଆରମ୍ଭ ଆବେଦନ ପ୍ରକ୍ରିୟା । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ରହିଛି। ଏହି ୱେବସାଇଟ୍ ମାଧ୍ୟମରେ ହିତାଧିକାରୀ ଆବେଦନ କରିପାରିବେ। ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଆବେଦନ କରିପାରିବେ । ଆବେଦନ କରିିଥିବା ହିତାଧୀକାରୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ।

ଆବେଦନ କରିବା ପୂର୍ବରୁ ପ୍ରଥମେ ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହାପରେ ଆରଏଚ୍ଓଡ଼ିଶା ଡଟ୍ ଜିଓଭ ଡଟ୍ ଇନ୍ କିମ୍ବା ମୋ ଘର ୱେବସାଇଟରେ ଯାଇ ହିତାଧିକାରୀ ଆବେଦନ କରିପାରିବେ । ମୋ-ଘର ଯୋଜନାରେ ସହାୟତା ପାଇଁ ଆବେଦନକାରୀଙ୍କୁ ନିଜ ପରିଚୟ ପତ୍ର ତଥା ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଂଟ ଦେବାକୁ ପଡ଼ିବ । ଏହାସହ ଆୟ ପ୍ରମାଣ ପତ୍ର ମଧ୍ୟ ଦେବାକୁ ପଡିବ ।

ତେବେ ମୋ ଘର ଯୋଜନାର ସହାୟତା ସେମାନଙ୍କୁ ମିିଳିବ ଯେଉଁମାନଙ୍କର କଚ୍ଚା ଘର ଥିବ, ପରିବାରର ଆୟ ୨୫ ହଜାରରୁ କମ୍ ଥିବ ଏବଂ ଗୋଟିଏ କୋଠରୀ ଥିବା ପକ୍କା ଘର ଥିବ। ସେହିମାନେ ମୋ-ଘର ପାଇବାକୁ ଯୋଗ୍ୟ ବିବେଚିତ ହେବେ । ରାଜ୍ୟ ସରକାର ମୋ-ଘର ଯୋଜନାରେ, ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରକୁ ଘର ନିର୍ମାଣ, ମରାମତି, ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ହିତାଧିକାରୀଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରୁଣ ଯୋଗାଇ ଦିଆଯିବ ।