ଚୌକା ଗ୍ରାମରେ ଡ୍ରେନ୍ ପୋତି ଦେବାରୁ ଗାଁ ଦାଣ୍ଡ ମୁଖ୍ୟ ରାସ୍ତା ଉପରେ ରେ ଆଣ୍ଠୁଏ ପାଣି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତର ଚୌକା ଗ୍ରାମରେ ଗାଁ ଦାଣ୍ଡରେ ଜମି ରହୁଛି ବର୍ଷା ପାଣି। ଫଳରେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ସୁଚନାମତେ ଚୌକା ଗ୍ରାମ ଦେଇ ଯାଇଥିବା ରାସ୍ତାଟି ମୁର୍ଷୁଣ୍ଢୀ-ଖଣ୍ଡହତା-ସୁବଳୟା କୁ ସଂଯୋଗ କରୁଛି। ଗତ ବର୍ଷ ଉକ୍ତ ରାସ୍ତାଟି ଆର ଡି ବିଭାଗରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହୋଇ ନୂତନ କାମ ହୋଇଥିଲା । ରାସ୍ତା ର ପିଚୁ ନୂତନ ଭାବେ ମଧ୍ୟ ହୋଇଛି। ଉକ୍ତ ରାସ୍ତା ର ଅନେକ ସ୍ଥାନରେ ରାସ୍ତା ପାର୍ଶ୍ବରେ ଜବର ଦଖଲ ମଧ୍ୟ ହୋଇଥିଲା । ପ୍ରଶାସନ କେବଳ ଖଣ୍ଡହତା ଗ୍ରାମରେ ରାସ୍ତା ପାର୍ଶ୍ବ ରୁ ଜବର ଦଖଲ ଉଚ୍ଛେଦ କରି ରାସ୍ତା ଓସାର ମଧ୍ୟ କରିଥିଲା । ମାତ୍ର ଅନ୍ୟ କୌଣସି ସ୍ଥାନରେ ଜବର ଦଖଲ ଉଚ୍ଛେଦ କରାଯାଇ ନ ଥିଲା।ଚୌକା ଗ୍ରାମ ର ରାସ୍ତା ଅଣଓସାରିଆ ହୋଇଥିବାରୁ ପୂର୍ବରୁ ମଧ୍ୟ ଯିବା ଆସିବାର ସମସ୍ୟା ହେଉଥିଲା।ମାତ୍ର କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ରାସ୍ତାର ଉଭୟ ପାର୍ଶ୍ବରେ ଜବର ଦଖଲ ଉଚ୍ଛେଦ ହୋଇ ନଥିଲା କି ରାସ୍ତା କାମ ମଧ୍ୟ ହୋଇ ପାରି ନ ଥିଲା।ଏବେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତା ରେ ପାଣି ଜମି ରହୁଛି । ପୂର୍ବରୁ ରାସ୍ତା ର ପାର୍ଶ୍ବରେ ଥିବା ଡ୍ରେନ କୁ କେତେକ ଦୁର୍ବୁତ୍ତ ଜୋର ଜବରଦସ୍ତ ପୋତି ଦେଇଛନ୍ତି । ଫଳରେ ବର୍ଷାପାଣି ନିସ୍କାସନ ହୋଇପାରୁ ନାହିଁ ।
ରାସ୍ତାରେ ଦୁଇ/ତିନି ଫୁଟ ର ଦୁଷିତ ମଇଳା ପାଣି ଜମି ରହୁଛି । ଉକ୍ତ ରାସ୍ତା ଦେଇ ଦୈନିକ ଖଣ୍ଡହତା , ସାହାଜଲଥା , ବଡକିରାସିରା , ଯୁବରାଜପୁର , ଚୌକାଦାଦର , ସାନକିରାସିରା , ଜନକପୁର , ରାଜନପାଲି , ବରପଦର, ରାମ୍ଭିପାଲି, ଗୁଢିପାଲି, ବୁରୁବୁଡା, ଅଡାଲ, ସିତାପୁର ,ମୁର୍ଷୁଣ୍ଢି, ବରଘାଟ, ଭୁତିଆପାଲି, ବଙ୍କିଆ, ବଡବର୍ଡାକଥା, ରିଜୁମୁଣ୍ଡା ସମେତ ବହଲପଦର ପଞ୍ଚାୟତ, ସଂଗ୍ରାମପୁର ପଞ୍ଚାୟତ ଏବଂ ସିମାନ୍ତ ରେଢାଖୋଲ ବ୍ଲକର ଲୋକେ ବିଭିନ୍ନ କାମରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏପରିକି ସ୍କୁଲ କଲେଜ ପଢୁଆ ଛାତ୍ରଛାତ୍ରୀ ମାନେ ମଧ୍ୟ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଏନେଇ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି।ତେବେ ଗ୍ରାମର ଉକ୍ତ ସମାସ୍ୟା କୁ ଦେଖି ଏହାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି।