ନିଆରା ଢଙ୍ଗରେ ଅନାଥ ପିଲାଙ୍କ ସହିତ ଦେବାଶିଷଙ୍କ ଜନ୍ମଦିନ ପାଳିଲେ ପରିବାର ସଦସ୍ୟ


ବେଲଗୁଣ୍ଠା,,28/06,ଚାରି ମାସ ହେଲା ଏକ ମାତ୍ର ପୁଅ ଚାଲି ଯାଇଛି ଆରପାରିକୁ I କିନ୍ତୁ ଅକାଳରେ ଚାଲି ଯାଇଥିବା ନିଜ ପୁଅର ସ୍ମୃତିକୁ ଜୀବିତ ରଖିବା ପାଇଁ ପରିବାର ଲୋକଙ୍କ ପ୍ରୟାସ ଜାରି ରହିଛି I କେବେ ପୁଅର ସ୍ମୃତିରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରୁଛନ୍ତି ତ କେବେ ଅନାଥ ଶିଶୁଙ୍କ ମୁହଁରେ ହସ ଟିକେ ଦେଖି ନିଜ ପୁଅର ଅନୁପସ୍ଥିତିକୁ ଅନୁଭବ ନକରିବା ପାଇଁ ଚେଷ୍ଟା କରୁଛନ୍ତି ପରିବାର ସଦସ୍ୟ I ସୂଚନା ପ୍ରକାରେ ଚାରିମାସ ତଳେ ଆକସ୍ମିକ ଭାବେ ଏକ ଟ୍ରେଇନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦେବାଶିଷ ବେବର୍ତ୍ତାଙ୍କ ଜନ୍ମ ଦିନକୁ ଧରାକୋଟ ସ୍ଥିତ ବାଲ୍ମିୀକେ ଶ୍ୱର ଅନାଥ ଆଶ୍ରମ ଅନ୍ତେବାସୀଙ୍କ ସହ ପାଳନ କରିଛନ୍ତି ପରିବାର ବର୍ଗ I ଆଜି ଥିଲା ଧରାକୋଟ ନିକଟସ୍ଥ ଜହାଡ଼ା ଗ୍ରାମର ସୁଧୀର ବେବର୍ତ୍ତା ଓ ରଞ୍ଜିତା କୁମାରୀ ଦେବୀ ଙ୍କ ଏକ ମାତ୍ର ପୁତ୍ର ଦେବାଶିଷର ଅଠରତମ ଜନ୍ମଦିନ I ଗତ ଚାରି ବର୍ଷ ପୂର୍ବେ ବାପା ସୁଧୀର ବେବର୍ତ୍ତା ଙ୍କ ସ୍ଵାସ୍ଥ୍ୟ ଗତ କାରଣରୁ ମୃତ୍ୟୁ ହୋଇଥିବା ବେଳେ ଗତ ଚାରିମାସ ପୂର୍ବେ ଫେବୃୟାରୀ 24 ତାରିଖରେ ଦେବାଶିଷ ଟ୍ରେନ୍ ରୁ ଖସି ଅକାଳରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଦେବାଶିଷଙ୍କ ଜନ୍ମ ଦିନକୁ ପରିବାର ଲୋକେ ଏକ ନିଆରା ଢ଼ଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ଦେବାଶିଷ ପିଲାଟି ଦିନରୁ ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ ମାମୁ ପ୍ରଦ୍ୟୁମ୍ନ ପାତ୍ରଙ୍କ ଘରେ ରହି ଆସୁଥିଲେ I ସେ କୌଣସି ଏକ କାର୍ଯ୍ୟରେ ଟ୍ରେନ୍ ରେ ଯାଉଥିବା ବେଳେ ଟ୍ରେନ୍ ରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ I ଆଜି ତାଙ୍କ ପରିବାର ତରଫରୁ ମାମୁ ତଥା ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ମାଆ ରଞ୍ଜିତା କୁମାରୀ ଦେବୀ, ଆଈ ସତ୍ୟଭାମା ପାତ୍ର, ମାଉସୀ ଲୀନା କୁମାରୀ ପାତ୍ର, ଉପସ୍ଥିତ ରହି ଧରାକୋଟ ସ୍ଥିତ ବାଲୁଙ୍କେଶ୍ଵର ଅନାଥ ଆଶ୍ରମ ଠାରେ ଦେବାଶିଷଙ୍କ ଜନ୍ମଦିନ ପାଳନ କରିଥିଲେ I ଆଜି ପ୍ରଥମେ ଦେବାଶିଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଅନ୍ତେବାସୀଙ୍କ ଦ୍ବାରା ମହା ମୃତ୍ୟୁଞ୍ଜୟ ଶ୍ଳୋକ ପାଠ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ଜନ୍ମ ଦିନ ଉତ୍ସବ ଆରମ୍ଭ କରାଯାଇଥିଲା I ଏହି ଅବସରରେ ଗୁରୁ ଲୋକନାଥ ଦାସ ଙ୍କ ଦ୍ଵାରା ସ୍ମୃତି ସଙ୍ଗୀତ ଗାନ ପରେ ଅନାଥ ଛୁଆ ମାନଙ୍କୁ ଚକୋଲେଟ୍ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯିବା ସହିତ ପରିବାର ତରଫରୁ ସୁସ୍ୱାଦୁ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା I ଏହି ଅବସରରେ ଅନାଥ ଆଶ୍ରମ ପରିଚାଳକ କେ ଟୁନା ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭା କାର୍ଯ୍ୟକ୍ରମରେ ଧରାକୋଟର ପୂର୍ବତନ ସରପଞ୍ଚ ତଥା ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରତିନିଧି ଦିଲ୍ଲୀପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେବାଶିଷଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଅନାଥ ଆଶ୍ରମରେ ସ୍ଵର୍ଗତ ଦେବାଶିଷଙ୍କ ପରିବାର ଆୟୋଜନ କରିଥିବା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ହୃଦାନନ୍ଦ ଜେନା , ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ନାୟକ, ସମାଜସେବୀ ବିପିନ ବିହାରୀ ଶତପଥି,ଅନାଥ ଆଶ୍ରମ ଅଧୀକ୍ଷୀକା ଗୀତାଞ୍ଜଳି ଦୋରା, ଗୃହପିତା ଶିଶିର କୁମାର ରାଜ୍,ସୁନୀଲ୍ ଚନ୍ଦ୍ର ସ୍ୱାଇଁ, ପୋଲିସ୍ କର୍ମଚାରୀ ସଦାନନ୍ଦ ବେହେରା,ଧରାକୋଟ ରାଜସ୍ୱ ନୀରିକ୍ଷକ ଯଜ୍ଞ ନାରାୟଣ ନାୟକ, ଶିକ୍ଷକ ସନ୍ତୋଷ କୁମାର ବିଷୋୟୀ, ଅରୁଣ କୁମାର ସ୍ୱାଇଁ,ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେବାଶିଷଙ୍କ ସ୍ମୃତି ଚାରଣ କରିବା ସହ ଏହିଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ I ଦେବାଶିଷଙ୍କ ମାମୁ ତଥା ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ବକ୍ତବ୍ଯ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗୃହ ପିତା ସୁନୀଲ୍ ଚନ୍ଦ୍ର ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I