Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀ ଏକତାକୁ ଦ୍ଵିତୀୟ ଝଟକା ଦେଲା ଆପ୍, ହରିୟାଣା ପାଇଁ ନୂତନ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ମତଭେଦ ରହିଛି। ଆପ୍ ଲଗାତାର କଂଗ୍ରେସର ସମର୍ଥନ ଦାବି କରିଛି। କିନ୍ତୁ ଏ ପର‌୍ୟ୍ୟନ୍ତ ଅରବିନ୍ଦ କେଜରିଓ୍ଵାଲଙ୍କ ପାର୍ଟିକୁ ନିରାଶ ମିଳି ଆସିଛି। ଏହା ମଧ୍ୟରେ କେଜରିଓ୍ଵାଲ୍ ବଡ଼ ପଦକ୍ଷେପ ଉଠାଇଛନ୍ତି। ଫଲରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ ଆହୁରି ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟ ରାଜ୍ୟରେ ପାର୍ଟିର ବିସ୍ତାରକୁ ରୋକିବା ବିରୋଧୀଙ୍କ ସଂକଳ୍ପକୁ ଭାଙ୍ଗି ହରିୟାଣା ପାଇଁ ଆପ୍ ୨୦ ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି।

ଦିଲ୍ଲୀ ଏବଂ ପଞ୍ଜାବ ପରେ ଉତ୍ତର ରାଜ୍ୟଗୁଡ଼ିକ ଉପରେ କବଜା କରିବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆପ୍ ଏହି ପଦକ୍ଷେପ ନେଇଛି। ଉଲ୍ଲେଖନୀୟ ହରିୟାଣାରେ କଂଗ୍ରେସ ମୁଖ୍ୟ ବିରୋଧୀ ପାର୍ଟି। ଜୁନ ୨୩ରେ ପାଟନାରେ ବସିଥିବା ବିରୋଧୀଙ୍କ ବୈଠକରେ ଆମ୍ ଆଦମୀ ପାର୍ଟି କହିଥିଲା ଯେ, ବିରୋଧୀଙ୍କ ବ୍ୟାପକ ହିତକୁ ଦୃଷ୍ଟିରେ ରଖି ପାର୍ଟିଗୁଡ଼ିକୁ ଅନ୍ୟ ରାଜ୍ୟରେ ନିଜର ବିସ୍ତାର ପ୍ରକ୍ରିୟାକୁ ରୋକିବା ଉଚିତ୍।

ହେଲେ ପାଟନା ବୈଠକରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କେଜରିଓ୍ଵାଲ ସମସ୍ତ ବିରୋଧୀଙ୍କ ସମର୍ଥନ ମାଗିଥିଲେ। ହେଲେ କଂଗ୍ରେସ ପକ୍ଷରୁ କୌଣସି ସକରାତ୍ମକ ଉତ୍ତର ମିଳି ନ ଥିଲା। ଏହା ପରେ କେଜରିଓ୍ଵାଲ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ମୁଖ୍ୟ ବିରୋଧୀ ଦଳ ସାର୍ବଜନୀନ ଭାବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶର ନିନ୍ଦା ଏବଂ ବିରୋଧ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆପର କୌଣସି ବି ବିରୋଧୀ ମେଣ୍ଟରେ ସାମିଲ୍ ହେବା ମୁସ୍କିଲ, ବିଶେଷ କରି କଂଗ୍ରେସ ଯେଉଁଥିରେ ସାମିଲ୍।

ପାଟନାରେ ନିରାଶ ହେବା ପରେ ଆପ୍ ଲଗାତାର ବିରୋଧୀଙ୍କ ଏକତା ବିରୋଧରେ ସନ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରସ୍ତାବିତ ସମାନ ନାଗରିକ ସଂହିତାକୁ ଆପ୍ ସମର୍ଥନ କରିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଆପର ଏହି କାମକୁ ସମାଲୋଚନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ