ମହାରାଷ୍ଟ୍ରର ମହାନାଟକ ପରେ ବେଙ୍ଗାଲୁରୁରେ ବିରୋଧୀ ମହାମେଣ୍ଟଙ୍କ ବୈଠକ ସ୍ଥଗିତ


ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ମହାନାଟକର ପ୍ରଭାବ ବିରୋଧୀ ମହାମେଣ୍ଟ ଉପରେ ପଡ଼ିବା ଆରମ୍ଭ ହୋଇ ଯାଇଛି। ଜୁଲାଇ ୧୩-୧୪ରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀଙ୍କ ବୈଠକ ସ୍ଥଗିତ ରଖାଯାଇଛି। ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ ବୈଠକ ଘୁଞ୍ଚା ଯାଉଥିବା ଖବର ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ସାଂପ୍ରତିକ ରାଜନୈତିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ବୈଠକ ରଦ୍ଦ କରାଯାଇଛି। ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ।

ମୌସୁମୀ ଅଧିବେଶନ ସରିବା ପରେ ହିଁ ଏହି ବୈଠକ ହେବାର ସମ୍ଭାବନା ରହିଛି। ବିହାର ବିଧାନସଭା ଏବଂ କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନ ହେଉଥିବା କାରଣରୁ ବୈଠକ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି। ବିହାରର ମୌସୁମୀ ଅଧିବେଶନ ଜୁଲାଇ ୧୦ରୁ ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିପାରେ। କୁହାଯାଉଛି ଜେଡିୟୁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ବୈଠକ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, କାରଣ ନୀତୀଶ ଏବଂ ତେଜସ୍ଵୀ ଯାଦବ ବିଧାନସଭା ଅଧିବେଶନରେ ବ୍ୟସ୍ତ ରହିବେ।

ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ, ଅଜିତ୍ ପାଓ୍ଵାର ଏକନାଥ ସିନ୍ଦେ ସରକାରରେ ସାମିଲ୍ ହେବା ପରେ ଶରଦ ପାଓ୍ଵାରଙ୍କ ସ୍ଥିତି ବର୍ତ୍ତମାନ ଠିକ୍ ନାହିଁ। ତେଣୁ ଏମିତି ସମୟରେ ବିରୋଧୀଙ୍କ ବୈଠକରେ ତାଙ୍କର ଯୋଗ ଦେବା ସମ୍ଭାବନା ଖୁବ୍ କମ୍ ରହିଛି। ଉଲ୍ଲେଖନୀୟ ଗତକାଲି ଅଜିତ୍ ପାଓ୍ଵାର ନିଜର ସମର୍ଥକ ବିଧାୟକଙ୍କ ସହ ରାଜ୍ୟପାଳଙ୍କୁ ଭେଟିବା ପରେ ଏକନାଥ ସିନ୍ଦେ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ। ଏହା ପରେ ସେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ସହିତ ୯ ଜଣ ସମର୍ଥକ ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ସୂଚନାଯୋଗ୍ୟ, ଜୁନ ୨୩ରେ ପାଟନାରେ ବିରୋଧୀଙ୍କ ବୈଠକ ବସିଥିଲା। ଏଥିରେ ମମତା ବାନାର୍ଜୀ, ଅରବିନ୍ଦ କେଜରିଓ୍ଵାଲ, ଭଗବନ୍ତ ମାନ, ଏମକେ ଷ୍ଟାଲିନଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅଖିଳେଶ ଯାଦବ, ଉଦ୍ଧବ ଠାକରେ, ମେହବୁବା ମୁଫତି ସମେତ ୫ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଳିତ ଲଢିବା ପାଇଁ ବିରୋଧୀଙ୍କ ସହମତି ପ୍ରକାଶ ପାଇଥିଲା।