ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ଵାର ସଂପ୍ରତି ନିଜ ପୁତୁରା ଅଜିତ ପାଓ୍ଵାରଙ୍କ ବିଦ୍ରୋହର ସମ୍ମୁଖୀନ ହେଉଛନ୍ତି। ଶରଦ ଏବଂ ଅଜିତ ଗୋଷ୍ଠୀର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଜାରି ରହିଛି। ଏହା ମଧ୍ୟରେ ଶରଦ ପାଓ୍ଵାର ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସହ ଆଲୋଚନା କରିଥିଲେ ହେଁ କଥା ଆଗକୁ ବଢି ନ ଥିଲା। ବର୍ତ୍ତମାନ ଅଜିତ ପାଓ୍ଵାର ଏକନାଥ ସିନ୍ଦେ ସରକାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି। ଏପରିକି ବୟସ ଅଧିକ ହୋଇ ଗଲାଣି ଆପଣ ଅବସର ନିଅନ୍ତୁ ବୋଲି ଶରଦ ପାଓ୍ଵାରଙ୍କୁ ପୁତୁରା ଅଜିତ ଉପଦେଶ ମଧ୍ୟ ଦେଇ ସାରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଶରଦ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୋତେ ଅବସର ନେବା ଉପରେ ପରାମର୍ଶ ଦେବା ପାଇଁ ଅଜିତ ପାଓ୍ଵାର କିଏ ? ମୁଁ ଏବେ ମଧ୍ୟ କାମ କରି ପାରିବି। ମହାରାଷ୍ଟ୍ରରେ ସରକାର ବିଜେପି ଚଲାଇବ। ଦିଲ୍ଲୀରୁ ଅର୍ଡର ଆସିବ। ହେଲେ ନା ମୁଁ କ୍ଳାନ୍ତ ହୋଇଛି ଏବଂ ନା ମୁଁ ଅବସର ନେବାକୁ ଯାଉଛି।
ଏହି ସମୟରେ ସେ ଖୁଲାସା କରି କହିଛନ୍ତି, ୨୦୧୪, ୨୦୧୭ ଏବଂ ୨୦୧୯ ନିର୍ବାଚନରେ ମୋର ବିଜେପି ସହ ଆଲୋଚନା ହୋଇଥିଲା। ମାତ୍ର ବିଚାରଧାରା ଭିନ୍ନ ହୋଇଥିବା କାରଣରୁ ମୁଁ କଥା ଆଗକୁ ବଢାଇ ନ ଥିଲି। ବିଜେପି ସହ ଆଲୋଚନା କରିବା କିଛି ଭୁଲ୍ ନୁହେଁ, କାରଣ ଏହା ଗଣତାନ୍ତ୍ରିକ ପ୍ରକ୍ରିୟା। ମୁଁ ବିଜେପି ସହ ମିଶିବାକୁ କୁଣ୍ଠାବୋଧ କଲି ବୋଲି ଶରଦ ପାଓ୍ଵାର କହିଛନ୍ତି।