Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀର ବାହା ବେଳେ ବାଇଗଣ ରୁଆବିଳମ୍ବିତ ବର୍ଷା ସାଙ୍ଗକୁ କେନାଲ ମରାମତି ଚାଷ କାର୍ଯ୍ୟରେ ବାଧକ

ଧର୍ମଗଡ଼,ତା ୧୧/୭- ଚଳିତ ବର୍ଷ ଇନ୍ଦ୍ର ଓ ଇନ୍ଦ୍ରାବତୀ ଚାଷୀଙ୍କ ପାଇଁ ଦାଉ ସାଧୁଛି। ଜୁନରେ ସ୍ବେଵାଭାବିକ ଠାରୁ କମ ପରିମାଣର ବର୍ଷା ପାଇଁ ଚାଷ କାର୍ଯ୍ୟ ଅନେକ ବିଳମ୍ବ ହେଲାଣି। ଏହି ସମୟରେ ଚାଷୀ ଭରସା କରିଥିବା ଇନ୍ଦ୍ରାବତୀ ମଧ୍ୟ କାମକୁ ଆସୁନି। ଅଣଜଳସେଚିତ ଅଞ୍ଚଳରେ ସାଧାରଣତଃ ବାହୁଡା଼ ସମୟରେ ବିହୁଡା ହୋଇଥାଏ। ଜଳସେଚିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ତଳି ରୁଆ କାମ ଆରମ୍ଭ ହୋଇଥାଏ । ଚଳିତ ବର୍ଷ କିନ୍ତୁ ଏଥିରେ ଅହେତୁକ ବ୍ଯତିକ୍ରମ ଦେଖିବାକୁ ମିଳିଛି। ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଅଣଜଳସେଚିତ ଅଞ୍ଚଳରେ ଚାଷ କାର୍ଯ୍ୟ ଆଗେଇ ପାରୁନଥିବା ବେଳେ ଇନ୍ଦ୍ରାବତୀ ଜଳସେଚିତ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ କତ୍ତୃପକ୍ଷଙ୍କ ବାହା ବେଳେ ବାଇଗଣ ରୁଆ ନିତୀ ଯୋଗୁଁ ଚାଷୀ ତଳି ପକେଇ ପାରିନାହିଁ। ଜୁଲାଇ ପହିଲାରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳ ଛାଡିବା କଥା। କିନ୍ତୁ ଚଳିତ ବର୍ଷ ସାତ ଦିନ ବିଳମ୍ବରେ ଜଳ ଛଡ଼ା ଯାଇଥିଲା। ଜଳ ଛାଡିବାର ମାତ୍ର ୨୪ ଘଣ୍ଟା ଭିତରେ ଆର ଡି ୪୭.୭କିମି ପଏଣ୍ଟ ସିଡ଼ିରେ ଲିକେଜ ହୋଇଥିଲା। ଏହି ଲିକେଜ ପାଣି କଣ୍ଟ୍ରୋଲ ପାଇଁ ୩୯ ନମ୍ବର ଗେଟର ସାହାଯ୍ୟ ନେଇ ତାକୁ ବନ୍ଦ କରାଯାଇଥିଲେ ଉପର ମୁଣ୍ଡ ଚାଷୀ ପାଣି ପାଇବା ସହ ଆରାମରେ ଲିକେଜ ମରାମତି ହୋଇ ପାରିଥାନ୍ତା। କିନ୍ତୁ ଇନ୍ଦ୍ରାବତୀ କତ୍ତୃପକ୍ଷ ତାହା ନକରି ମରାମତି ଆଳରେ ଜଳସେଚନ ବନ୍ଦ କରିଦେବାରୁ ଚାଷୀ ତଳି ପକେଇବାରେ ଅନେକ ବିଳମ୍ବ ହୋଇଛି। ୟା ଭିତରେ ଇନ୍ଦ୍ରାବତୀ କତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଚାଷୀଙ୍କ ପାଇଁ କାଳ ସାଜିଛି। ଶାଖା କେନାଲ ମରାମତି ନାମରେ ବାରମ୍ବାର ଜଳସେଚନ ବାଧା ପ୍ରାପ୍ତ ହେଉଛି। ଯେହେତୁ ଜୁଲାଇ ମାସ ପହିଲାରୁ ଇନ୍ଦ୍ରାବତୀରୁ ଜଳ ଛାଡିବା ବ୍ୟବସ୍ଥା ରହିଛି ସେଥିପାଇଁ ଜୁଲାଇ ପହିଲା ପୂର୍ବରୁ ଇନ୍ଦ୍ରାବତୀ କେନାଲର ସମସ୍ତ ଶାଖା ପ୍ରଶାଖା କେନାଲର ମରାମତି ହେବା କଥା। ଚଳିତ ବର୍ଷ କିନ୍ତୁ ଜୁଲାଇ ଅଧା ହେବାକୁ ହେଲାଣି ଏବେ ବି ଅନେକ ଶାଖା ପ୍ରଶାଖା କେନାଲର ମରାମତି କାର୍ଯ୍ୟ ଜାରି ରହିଛି। କଲମପୁର ବ୍ଲକର ପାଜେନମାଇନର,ଦେପୁର,ପଣ୍ଡିଗାଁ, ପାତ୍ରବସା,ଚୁରାଗାଁ,ବନ୍ଦକୋନା ସମେତ ଜୟପାଟଣା ଅଞ୍ଚଳର ଅନେକ ଗ୍ରାମର ଶାଖା ପ୍ରଶାଖା କେନାଲର ମରାମତି ଚାଲୁ ରହିଛି। ଯାହାରି ଫଳରେ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ତେବେ ଇନ୍ଦ୍ରାବତୀ ଚାଷୀ ସ୍ଵାର୍ଥରେ ନା ଠିକାଦାରଙ୍କ ସ୍ଵାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ଏନେଇ ଦାୟିତ୍ଵରେ ଥିବା ଅଧିକ୍ଷଣ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ବାରମ୍ବାର ଚେଷ୍ଟା କରିଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ