Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରାଜେଡି: ଗିରଫ ୩ ଅଭିଯୁକ୍ତଙ୍କ ଆଜି ସରୁଛି ରିମାଣ୍ଡ ଅବଧି, କୋର୍ଟରେ ହାଜର କରାଇବ ସିବିଆଇ

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡିରେ ଗିରଫ ୩ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ ଏବଂ ଟେକ୍ନସିଆନ ପପୁ କୁମାରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆଜି ସରୁଛି। ଏହି ତିନି ଅଭିଯୁକ୍ତଙ୍କୁ ଆଜି ସିବିଆଇ କୋର୍ଟରେ ହାଜର କରିବ। ଅଧିକ ତନାଘନା ପାଇଁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ସିବିଆଇ ଆବେଦନ କରିପାରେ।

କୋର୍ଟରେ ହାଜର କରାଯିବା ପୂର୍ବରୁ ଅଭିଯୁକ୍ତମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ହସ୍ପିଟାଲକୁ ନିଆଯାଇଥିଲା। ମେଡିକାଲ ଟେଷ୍ଟ ପରେ ଚନ୍ଦକା ଥାନାକୁ ଅଣା ଯାଇଛି। ଆଉ କିଛି ସମୟ ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଏଜେନ୍ସି କୋର୍ଟରେ ହାଜର କରିବ। ସେପଟେ ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନରେ ଆହୁରି ୨ ରେଳ କର୍ମଚାରୀ ଅଛନ୍ତି। ଏହି ୨ ରେଳ କର୍ମଚାରୀଙ୍କୁ ସିବିଆଇ ଜେରା କରିଥିବା ବେଳେ ସଂପୃକ୍ତ କର୍ମଚାରୀଙ୍କୁ ପୂର୍ବରୁ ଗିରଫ ୩ ଅଭିଯୁକ୍ତ ସହ ଚନ୍ଦକା ଥାନାରେ ମୁହାଁମୁହିଁ ଜେରା କରିଛି ସିବିଆଇ। କେବଳ ଏହି ୨ କର୍ମଚାରୀ ନୁହନ୍ତି ଆହୁରି ୩ ଜଣ କର୍ମଚାରୀଙ୍କୁ ସିବିଆଇ ସମନ ଜାରି କରିଛି। ଆଜି ଚନ୍ଦକା ଥାନାରେ ଏହି ୩ ରେଳ କର୍ମଚାରୀ ହାଜର ହେବେ।

ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା କି ? ଏହା ପଛରେ କିଛି ଷଡଯନ୍ତ୍ର ରହିଛି କି ନାହିଁ, ଏସବୁ ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସୁପାରିସକ୍ରମେ ସିବିଆଇ ମାମଲାର ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ