ବିଦ୍ୟାଳୟକୁ ମାଡୁଛି ଆଖିଧରା, କାମୁଛି ଉପସ୍ଥାନ ଚିନ୍ତାରେ ଅଭିଭାବକ


ବେଲଗୁଣ୍ଠା,15/07, ରାଜ୍ୟରେ ବର୍ତ୍ତମାନ ଆଖିଧରା ରୋଗ ସଂକ୍ରମଣ ଚର୍ଚ୍ଚାରେ ରହିଥିବା ବେଳେ ଏହାର ସିଧାସଳଖ କୁପ୍ରଭାବ ବିଦ୍ୟାଳୟ ଗୁଡ଼ିକ ଉପରେ ପଡିଛି I ବେଲଗୁଣ୍ଠା ବ୍ଳକ୍ ର ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଆଖିଧରା ରୋଗରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି I ବିଦ୍ୟାଳୟ ଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀ ମାନେ ଆଖିଧରା ରୋଗ ସଂକ୍ରମଣ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି I ଏପରିକି ବହୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଠାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ସଂକ୍ରମିତ ହେଉଥିବା ସୂଚନା ମିଳିଛି I ଅନ୍ୟପଟେ ଆଖିଧରାରେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ତରଫରୁ ସୁସ୍ଥ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟକୁ ନଆସିବା ପାଇଁ ପରାମର୍ଶ ଦିଆଯାଇଥିବାରୁ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକରେ ଦୈନିକ ଉପସ୍ଥାନ କମ୍ ରହୁଥିବା ଦେଖାଦେଇଛି I ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହୁଥିବା ଯୋଗୁଁ ବିଦ୍ୟା ପ୍ରବେଶ ଏବଂ ଏଫ.ଏଲ୍.ଏନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଦାନ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହୋଇଛି I ଏନେଇ ଉଭୟ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି I ଅନ୍ୟପଟେ ବଜାରରେ ଆଖିଧରା ରୋଗର ଔଷଧ ମିଳୁନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି I ପ୍ରତିଦିନ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆଖିଧରା ରୋଗୀଙ୍କର ଗହଳି ଲାଗୁଥିବା ଦେଖାଯାଉଛି I ଅନ୍ୟପଟେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଖିଧରା ରୋଗ ସଂକ୍ରମଣକୁ ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ପଦକ୍ଷେପ କରିବା ଉଚିତ୍ ବୋଲି ଅଭିଭାବକ ଏବଂ ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି I ବିଶେଷକରି ଭ୍ରାମ୍ୟମାଣ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ଆଖି ଧରିଥିବା ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ଯୋଗାଇଦେବା ସହ ବିଦ୍ୟାଳୟ ସ୍ତରରେ ଏହି ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି I