ମଣିପୁର ହିଂସାକୁ ନେଇ ସବୁଠି ପ୍ରତିବାଦର ସ୍ବର : ୨୭ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ


କଳାହାଣ୍ଡି,୨୫/୦୭-ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ମୈତେୟୀ ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଉଗ୍ର ରୂପ ଧାରଣ କରିଥିବାବେଳେ ଆଦିବାସୀ କୁକି ସଂପ୍ରଦାୟର ମହିଳାମାନଙ୍କ ଉପରେ ବର୍ବରୋଚିତ ଅତ୍ୟାଚାର ସହିତ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ସାରାଦେଶରେ ଉଠିଛି ପ୍ରତିବାଦର ସ୍ବର ! କେନ୍ଦ୍ରର ମୋଦୀ ସରକାର ଓ ମଣିପୁର ରାଜ୍ୟର ଏନ୍ ବୀରେନ୍ ସିଂହଙ୍କ ସରକାର ଏଇ ହିଂସାକୁ ଦମନ କରିବାରେ ବିଫଳ ହୋଇଥିବା ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ତୁମ୍ବିତୋଫାନ କରୁଛନ୍ତି ! ଏପରି ସମୟରେ ମଣିପୁରର ଏଇ ଲଜ୍ଜାଜନକ ଘଟଣାକୁ କଡ଼ାଶବ୍ଦରେ ନିନ୍ଦା କରିବା ସହିତ ଏହାର ପ୍ରତିବାଦରେ ଆସନ୍ତା ୨୭ ତାରିଖ ଗୁରୁବାର ଦିନ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ (AOSCF) ! ଫେଡେରେସନର ମହିଳା ବିଭାଗ ନେତ୍ରୁତ୍ବରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହରରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରଦର୍ଶନ କରାଯିବ ! ଏନେଇ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ମହିଳା ବିଭାଗର ସଭାନେତ୍ରୀ ବିଜୟାଲକ୍ଷ୍ମୀ ସ୍ବର୍ଣ୍ଣ, ଉପଦେଷ୍ଟା ଏସ୍. ସୁଜାତା, କାର୍ଯ୍ୟକାରୀ ସଭାନେତ୍ରୀ ରମଣୀ ଦୁରିଆ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ! ଏଥିରେ ଜିଲ୍ଲାର ୧୩ଟି ବ୍ଲକ, ୩ଟି ଏନ୍ଏସି, ଗୋଟିଏ ମ୍ୟୁନିସିପାଲିଟି ଅଞ୍ଚଳରୁ ଫେଡେରେସନର ବହୁ ସଂଖ୍ୟକ ସଦସ୍ୟା ସାମିଲ ହେୁ ହେବେ ବୋଲି ସେମାନେ ସୂଚନା ଦେଇଛନ୍ତି ! ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ କେବଳ ଗୋଟିଏ ସଂଗଠନ ଓ ଏହାର ନିର୍ବାଚିତ ସଭାପତି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ତାଣ୍ଡି, ସାଧାରଣ ସଂପାଦକ ଭାବେ ସୁନାମଧନ୍ୟ ଅଧିବକ୍ତା ସୂର୍ଯ୍ୟନାରାୟଣ କୁମାରଙ୍କ ନେତ୍ରୁତ୍ବରେ ଏକ ଦକ୍ଷ ଟିମ୍ ଜିଲ୍ଲାରେ ଦାୟିତ୍ବ ତୁଲାଉଛି ବୋଲି ସେମାନେ ଦର୍ଶାଇଛନ୍ତି ! ଏପରିକି ଜିଲ୍ଲାର ସମସ୍ତ ଅଞ୍ଚଳର ଅନୁସୂଚିତ ଜାତି ସମାଜର ପ୍ରତିନିଧିତ୍ବ କରୁଥିବା ଫେଡେରେସନ୍ ୨୭ ତାରିଖ ଗୁରୁବାର ଦିନ ହିଁ ପ୍ରତିବାଦ ସଭା ଓ ଶୋଭାଯାତ୍ରା କରିବ ବୋଲି ସେମାନେ ସୂଚନା ଦେଇଛନ୍ତି !