ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସ୍ଥିର ହେଲା ତାରିଖ, ୩ ଦିନ ଚାଲିବ ବିତର୍କ, ଏହି ଦିନ ଉତ୍ତର ରଖିବେ ମୋଦୀ


ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଉପରେ ପୁଣି ଥରେ ସରଗରମ ହୋଇ ଉଠିବ ସଂସଦ। ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୮ ତାରିଖରୁ ଚର୍ଚ୍ଚା ଆରମ୍ଭ ହେବ, ଯାହା ତିନି ପର‌୍ୟ୍ୟନ୍ତ ଅର୍ଥାତ ଅଗଷ୍ଟ ୧୦ ତାରିଖ ଯାଏ ଚାଲିବ। ଖାସ୍ କଥା ଆଲୋଚନାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂସଦରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିବେ। ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠୁ ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ଆସୁଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାର ବିରୋଧରେ ଦାଖଲ ଅନାସ୍ଥା ପ୍ରସ୍ତାବକୁ ଲୋକସଭାରେ ବାଚସ୍ପତି ସ୍ଵୀକାର କରିଥିଲେ। କଂଗ୍ରେସ ନେତା ଗୌରଭ ଗୋଗୋଇଙ୍କ ପକ୍ଷରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ନୋଟିସ୍ ଦିଆଯାଇଥିଲା। ଏଥିସହ ତେଲେଙ୍ଗାନାରେ କ୍ଷମତାସୀନ ଭାରତ ରାଷ୍ଟ୍ର ସମିତି(ବିଆରଏସ) ମଧ୍ୟ ଅଲଗା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଉ ବୋଲି ନୋଟିସ୍ ଦେଇଥିଲା।

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବା ଅସମ୍ଭବ। କାରଣ ବିଜେପି ସମେତ ଏନଡିଏର ପୂର୍ଣ୍ଣ ବହୁମତ ରହିଛି। ବିରୋଧୀଙ୍କ କହିବା କଥା ଏହା ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଣିପୁର ହିଂସା ପ୍ରସଙ୍ଗରେ କହିବାକୁ ବିବଶ କରାଯିବ। ନିକଟରେ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ଦୁଇ ଦିନିଆ ମଣିପୁର ଗସ୍ତ କରିଥିଲେ। ୧୬ ଦଳର ୨୧ ଜଣ ସାଂସଦ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ଭେଟିଥିଲେ।