Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥାନା ପୋଡ଼ି ଘଟଣା; ଫିରିଙ୍ଗିଆ IICଙ୍କ ବଦଳି, ୧୫ ଜଣଙ୍କୁ ପଚରା ଉଚୁରା ଜାରି

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଗତକାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ଥାନାରେ ଭଙ୍ଗାରୁଜା କରିବା ସହ ଥାନା ଜାଳି ଦେଇଥିଲେ। ଥାନା ପରିସରରେ ଯାହା ପାଇଲେ ସବୁ ଥିରେ ନିଆଁ ଲଗାଇ ଦେଇଥିଲେ। ବାହାରେ ବସ୍ତା ବସ୍ତା ଗଞ୍ଜେଇ ପୋଡ଼ିଥିଲେ। ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ। ଗଞ୍ଜେଇ କାରବାରରେ ସଂପୃକ୍ତି ଥିବା ଥାନା ଅଧିକାରୀ ଏବଂ ଦୁଇ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗତକାଲି ଏମିତି ହିଂସାକାଣ୍ଡ ଘଟିଗଲା।

ଏହି ସମ୍ବେଦନଶୀଳ ଘଟଣାରେ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ବଦଳି କରାଯାଇଛି। ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର‌୍ୟ୍ୟରୁ ଅନ୍ତର କରାଯାଇଛି। ରବିବାର ଏ ନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର। ଥାନା ପୋଡ଼ି ମାମଲାରେ ୩୦ରୁ ଅଧିକ ଜଣଙ୍କ ନାଁରେ ଏତଲା ଦାୟର କରାଯାଇଛି। ଏ ଯାଏ ୧୫ ଜଣଙ୍କୁ ଚିହ୍ନଟ କରି ପଚରା ଉଚୁରା କରାଯାଉଛି। ଭାଇରାଲ୍ ଭିଡିଓର ସତ୍ୟତା ଯାଞ୍ଚ ସହ ଅଭିଯୋଗର ତଦନ୍ତ ହେବ। ଭୟ ନ କରି ଦୋକାନ ଖୋଲିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଏସପି।

ଗତକାଲି ଘଟଣାରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଫୁଲବାନୀ ଏସଡିପିଓଙ୍କୁ ଗୋଡ଼େଇ ଗୋଡ଼େଇ ପିଟି ଲହୁଲୁହାଣ କରି ଦେଇଥିଲେ। ଯେଉଁ ପୋଲିସ କର୍ମଚାରୀ ହାବୁଡ଼ରେ ପଡ଼ୁଥିଲା ସେମାନଙ୍କୁ ନିର୍ଥୁମ ଛେଚିଥିଲେ। ଫଳରେ ଭୟରେ ପୋଲିସ ଛତ୍ରଭଙ୍ଗ ଦେଇଥିଲା। ଏହି ସବୁ ଘଟଣା ଘଟିବା ପୂର୍ବରୁ ଆନ୍ଦୋଳନକାରୀ ଗଞ୍ଜେଇ କାରବାରରେ ଲିପ୍ତ ଥିବା ଥାନା ଅଧିକାରୀ ଏବଂ ଦୁଇ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଫିରିଙ୍ଗିଆରେ ରାସ୍ତା ରୋକ କରିଥିଲେ। ପୋଲିସ ବୁଝାସୁଝା କରିବା ସମୟରେ ହଠାତ ସ୍ଥିତି ବିଗିଡ଼ିଥିଲା। ଆଉ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଏତେ ବଡ଼ କାଣ୍ଡ ଭିଆଇ ଦେଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ