Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ, ସରକାରୀ ବାସଭବନ ବି ମିଳିବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଲୋକସଭା ସଦସ୍ୟତା ଫେରି ପାଇଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ସୋମବାର ଏହି ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ମହାସଚିବ ଉତ୍ପଳ କୁମାର ସିଂଙ୍କ ପକ୍ଷରୁ ଜାରି ଅଧିସୂଚନାରେ ଉଲ୍ଲେଖ ରହିଛି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରାହୁଲ ଗାନ୍ଧୀ ନିଜର ସାଂସଦ ପଦ ଫେରି ପାଇଛନ୍ତି। ଏବେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବାସଭବନ ମିଳି ପାରିବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରଠୁ କଂଗ୍ରେସ ଶିବିରରେ ଉତ୍ସବର ମାହୋଲ ଲାଗି ରହିଛି। କୁହାଯାଉଛି ରାହୁଲ ଲୋକସଭାରେ ଯୋଗ ଦେବା ପରେ କଂଗ୍ରେସ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବ। ଗୃହରେ ତାଙ୍କ ସ୍ଵାଗତ ପାଇଁ କଂଗ୍ରେସ ପ୍ରସ୍ତୁତି କରୁଛି।

ରାହୁଲ ଗାନ୍ଧୀଙ୍କୁ ମୋଦୀ ସାଙ୍ଗିଆ ମାନହାନୀ କେସରେ ଦୁଇ ବର୍ଷର କାରାଦଣ୍ଡାଦେଶ ମିଳିଥିଲା। ଯେଉଁ କାରଣରୁ ତାଙ୍କର ଲୋକସଭା ସଦସ୍ୟତା ଚାଲି ଯାଇଥିଲା। ମାତ୍ର ଶୁକ୍ରବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ରାୟ ଉପରେ ରୋକ୍ ଲଗାଇ ରାହୁଲଙ୍କୁ ବହୁତ ବଡ଼ ଆଶ୍ଵସ୍ତି ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ରାହୁଲଙ୍କୁ କାହିଁକି ସର୍ବାଧିକ ୨ ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିଲା ତାର କାରଣ ନିମ୍ନ ଅଦାଲତ ଜଣାଇ ପାରି ନାହାନ୍ତି। ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ଯେ, ରାହୁଲ ଗାନ୍ଧୀ ସୋମବାର ଲୋକସଭାର ଗୃହ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି।

ଯଦି ତାଙ୍କ ସଜା ଉପରେ ରୋକ୍ ଲାଗି ନଥାନ୍ତା ତେବେ ସେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରି ନ ଥାନ୍ତେ। ତେଣୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ପାଇଁ ବହୁତ ବଡ଼ ଆଶ୍ଵସ୍ତିର ଖବର। ବିରୋଧୀଙ୍କ ମେଣ୍ଟ ଇଣ୍ଡିଆରେ ମଧ୍ୟ ଖୁସିର ମାହୋଲ ରହିଛି। ରାହୁଲ ଗାନ୍ଧୀଙ୍କ ସଜା ଉପରେ ରୋକ୍ ଲାଗିବା ଏବଂ ଲୋକସଭା ସଦସ୍ୟତା ଫେରି ପାଇବା କଂଗ୍ରେସ ପାଇଁ ଏକ ବଡ଼ ବିଜୟ ବୋଲି ସମୀକ୍ଷକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ