ହାଇଦ୍ରାବାଦ ଆଇ ଆଇ ଟି ରୁ ବୀରମହାରାଜପୁର ର ଛାତ୍ରୀ ଙ୍କ ମୃତ ଦେହ ଘରେ ପହଁଞ୍ଚିବା ପରେ ଗାଁ ଦାଣ୍ଡ ଶୋକାକୁଳ

ବୀରମହାରାଜପୁର : ହାଇଦ୍ରାବାଦ ଆଇଆଇଟି ରେ ପଢୁଥିବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଡୁଙ୍ଗୁରୀ ଗ୍ରାମର ଜଣେ ଏମ୍ ଟେକ୍ ଛାତ୍ରୀ ମମିତା ନାଏକ ଙ୍କ ଝୁଲନ୍ତା ମୃତ ଦେହ ସୋମବାର ଉଦ୍ଧାର ହୋଇଥିଲା । ଏହାକୁ ଆତ୍ମହତ୍ୟା ବୋଲି ସେଠାକାର ପୋଲିସ ଓ ଆଇ ଆଇ ଟି କର୍ତ୍ତୁପକ୍ଷ କହୁଥିବା ବେଳେ ପରିବାର ଲୋକେ ରାଗିଂ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ବୁଧୁବାର ଅପରାହ୍ନରେ ମୃତଦେହ ନିଜ ଗ୍ରାମ ଡୁଙ୍ଗୁରୀ ରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । କେବଳ ପରିବାର ବର୍ଗ ନୂହେଁ ଗ୍ରାମର ସମସ୍ତେ ଏପରିକି ମୃତକଙ୍କ ସାଙ୍ଗସାଥି ଏବଂ ଅଂଚଳର ବିଭିନ୍ନ ବ୍ୟକ୍ତି ବିଶେଷ ପହଞ୍ଚି ମମିତା ଙ୍କ ମର ଶରୀର ର ଶେଷ ଦର୍ଶନ କରିବା ସହିତ ଶୋକବ୍ୟକ୍ତ କରିଥିଲେ । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ବାଗବର ର ପୂର୍ବତନ ସରପଞ୍ଚ ରାଧାକାନ୍ତ ବାଘ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୟାନିଧି ପଧାନ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ପୁରୋହିତ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ । ମୃତ ଦେହ ଗ୍ରାମରେ ପହଞ୍ଚିବା ପରେ କାନ୍ଦ ବୋବାଳରେ ଗାଁ ଦାଣ୍ଡ ଫାଟି ପଡିଥିଲା । ଉଚ୍ଚଶିକ୍ଷା ପାଇଁ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କୁ ଯାଇ ଗ୍ରାମକୁ ମୃତ ଦେହ ଆସିବା ଦେଖି ନାଁ ଗ୍ରହଣ କରି ପାରୁଛନ୍ତି ପରିବାର ଲୋକେ ନାଁ ଗ୍ରାମବାସୀ । ଗ୍ରାମ ଶ୍ମଶାନରେ ମୃତ ମମିତା ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ବାପା ଦୁଃଖିଶ୍ୟାମ ନାଏକ ମୁଖାଗ୍ନି ଦେଇଥିଲେ । ସୁଚନାମତେ ହାଇଦ୍ରାବାଦ ଆଇ ଆଇ ଟି ରେ ଏମଟେକ୍ ପଢିବା ପାଇଁ ମମିତା ଗତ ୨୬ ତାରିଖରେ ତାଙ୍କ କାକା ପ୍ରସାଦ ନାଏକ ଙ୍କ ସହିତ ଯାଇଥିଲେ । ମାତ୍ର ସୋମବାର ଛାତ୍ରୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇ ଥିବା ଶିକ୍ଷାନୁଷ୍ଠାନ ତରଫରୁ ଘରକୁ ଖବର ଦିଆଯାଇଥିଲା । ଖବର ପାଇ ମମିତା ଙ୍କ କାକା ପ୍ରସାଦ ଓ ଅନ୍ୟଜଣେ ସମ୍ପର୍କୀୟ ଦାମୋଦର ହୋତା ମୃତ ଦେହ ନେବାକୁ ଯାଇ ଏୟାର ଲିଫ୍ଟରେ ହାଇଦ୍ରାବାଦ ରୁ ଭୁବନେଶ୍ବର ଆଣିବା ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲେ I