Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ମୋଡ଼ରେ ବିଜେପି, ଖୋଦ୍ ମୋର୍ଚ୍ଚା ସମ୍ଭାଳିଲେ ପିଏମ ମୋଦୀ, ଆଜି ମହାବୈଠକ

ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ପ୍ରସ୍ତୁତି ଜୋରଦାର କରିଛି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଏବଂ ଆଜି ବିଜେପି ମୁଖ୍ୟାଳୟରେ ତାଙ୍କ ଅଧ୍ୟକ୍ଷତାରେ ମହାବୈଠକ ହେବାକୁ ଯାଉଛି। ସନ୍ଧ୍ୟାରେ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ବୈଠକରେ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ନିର୍ବାଚନ କମିଟିର ଅନ୍ୟ ସଦସ୍ୟ ମଧ୍ୟ ଯୋଗ ଦେବେ। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପାର୍ଟି ଶୀର୍ଷ ସଂସ୍ଥା ମଧ୍ୟରୁ ଏକ, ଯିଏ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥାଏ। ଏପରିକି ପ୍ରାର୍ଥୀଙ୍କ ଚୟନ ଉପରେ ମଧ୍ୟ ମୋହର ମାରିଥାଏ।

ସାଧାରଣତଃ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ନିର୍ବାଚନ ତାରିଖ ଘୋଷଣା ପରେ ହିଁ ହୋଇଥାଏ। କିନ୍ତୁ ଏହାର ଅନେକ ମାସ ପୂର୍ବରୁ ବୈଠକ ଡକାଯିବାରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ମନରେ ମଧ୍ୟ କିଛି ଶଙ୍କା ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ବ୍ୟତୀତ ପୂର୍ବୋତର ରାଜ୍ୟ ମିଜୋରାମରେ ମଧ୍ୟ ନିର୍ବାଚନ ହେବାର ଅଛି। ଏହି ସବୁ ରାଜ୍ୟରୁ ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନାରେ ବିରୋଧୀ ଦଳ ସରକାରରେ ଅଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଏଠାରେ ଜିତିବାକୁ ଚାହିଁବ। ତିନି ରାଜ୍ୟରେ ଲୋକସଭାର ସିଟ୍ ସଂଖ୍ୟା ଭଲ ରହିଛି।

ବିଶେଷ କରି ବିଜେପି ପାଇଁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଗୁରୁତ୍ଵପୂର୍ଣ୍ଣ ରହିଛି। ତିନୋଟି ରାଜ୍ୟରେ ଲୋକସଭାର ମୋଟ୍ ସିଟ୍ ୬୫ ରହିଛି। ଏହି ନିର୍ବାଚନକୁ ୨୦୨୪ ପାଇଁ ସେମି ଫାଇନାଲ୍ ଭାବେ ଚିତ୍ରଣ କରାଯାଉଛି। ୨୦୧୮ରେ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାଜିତ ହୋଇଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ଦଳକୁ ବିପୁଳ ବିଜୟ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ