କଳାହାଣ୍ଡି,୨୩/୦୮-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ୍ ଟେକରତୋଳା ଗାଁରେ ଚାରାରୋପଣରେ ମହାଦୁର୍ନୀତି ଅଭିଯୋଗ ସଂପର୍କରେ ଖବର ପ୍ରକାଶନ ପରେ ବିଳମ୍ବରେ ହେଉ ପଛକେ ବନବିଭାଗର ଚେତା ପଶିଛି ! ଆଜି ବିଶ୍ବନାଥପୁର ରେଞ୍ଜ ଅଫିସର ନରୋତ୍ତମ ମାଝୀ ଘଟଣାସ୍ଥଳ ପରିଦର୍ଶନ କରି ଅଭିଯୋଗ ସଂପର୍କରେ ତଦନ୍ତ କରିଛନ୍ତି ! ତେବେ ଚାରାରୋପଣରେ ବ୍ୟାପକ ଅର୍ଥ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିବାବେଳେ ଦୁର୍ନୀତିଗ୍ରସ୍ତ ଫରେଷ୍ଟଗାର୍ଡ ତପିମଣି କୁମାରଙ୍କୁ ବଞ୍ଚାଇବାକୁ ଯାଇ ମଲାଗଛ ହଟାଇ ଅଲଗା ଚାରା ଲଗାଇବାକୁ ସେ କହିବାରୁ ଅଭିଯୋଗକାରୀ ଗ୍ରାମବାସୀ ବିଗିଡ଼ି ଯାଇଥିଲେ ! ପ୍ରଥମେ ତଦନ୍ତ, ଦୁର୍ନୀତିଗ୍ରସ୍ତ ଫରେଷ୍ଟ ଗାର୍ଡଙ୍କ ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ସହିତ ନିଲମ୍ବନ କି ବଦଳି କରାନଗଲେ ଗ୍ରାମବାସୀ ରେଞ୍ଜ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେବାକୁ ଚେତାବନୀ ଦେଇଥିଲେ ! ଲୋକଙ୍କ ତୀବ୍ର ପ୍ରତିକ୍ରିୟା ଦେଖି ରେଞ୍ଜ ଅଫିସର ଶ୍ରୀ ମାଝୀ ଲୋକଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ! ତେବେ ଉପଯୁକ୍ତ ତଦନ୍ତ ସହିତ ଆସନ୍ତା ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ! ଅପରପକ୍ଷରେ କାମ୍ପା ଯୋଜନାର ଅନୁଦାନକୁ ଚଞ୍ଚକତା କରି ତଥା ମନରେଗା ଯୋଜନା ଦେଖାଇ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିବା ଚକ୍କରରେ ଥିବା ପାଣିମୁଣ୍ଡା ବିଟ୍ ର ଫରେଷ୍ଟଗାର୍ଡ ତପିମଣି କୁମାରଙ୍କ ଅଡ଼ୁଆ ଆହୁରି ବଢ଼ିବାରେ ଲାଗିଛି ! ସେ ନିଜକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିଲେ ହେଁ ସବୁଯାକ ଫସର ଫାଟିଛି ! ତାଙ୍କ ବିରୁଦ୍ଧରେ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନହେଲେ ଟେକରତୋଳା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବାବେଳେ ଏବେ ସିକେରକୁପା ସେକ୍ସନର ଫରେଷ୍ଟର ଓ ରେଞ୍ଜ ଅଫିସର ଏଇ ଦୁର୍ନୀତି ସଂପର୍କରେ ସବୁ ଜାଣି ସୁଦ୍ଧା କେମିତି ନିରବ ରହିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି ! ଆବଶ୍ୟକ ହେଲେ ବନବିଭାଗର ଏଇ ମିଲିଭଗତ ନୀତି ବିରୁଦ୍ଧରେ ଭିଜିଲାନ୍ସର ଦ୍ବାରସ୍ତ ହେବୁ ବୋଲି ଟେକରତୋଳା ୱାର୍ଡସଭ୍ୟ ତଥା ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ଅନାମ ବେହେରା, ନବିଖିତ ଗଉଡ଼, ସୁଶାନ୍ତ ଗଉଡ଼ଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି !