ବୀରମହାରାଜପୁର ଶିଶୁ ମନ୍ଦିରରେ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଞ୍ଚମ ଓଡ଼ିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ୍ , କଟକର ତତ୍ତ୍ୱାବଧାନରେ ଗୀତା ମାଧ୍ୟମରେ ସଂସ୍କୃତିର ସଂରକ୍ଷଣ ଓ ସଂପ୍ରସାରଣ ଉଦ୍ଦେଶ୍ୟ ରଖି ଏହା କରାଯାଇଥିଲା । ସୁଶାନ୍ତ ମିଶ୍ର , ପ୍ରଦୀପ ପଧାନ , ଚନ୍ଦ୍ରମଣି ବାଘ , ପଦ୍ମନାଭ ମେହେର , ସୀତାରାମ ଗୁରୁ , ମାଗୁଣି ନନ୍ଦ , ସନ୍ତୋଷିନୀ ନାୟକ , ସାବିତ୍ରୀ ବର୍ମା ଆଦି ଶିକ୍ଷୟିତ୍ରୀ ଶିକ୍ଷକମାନେ ବିଚାରକ ଦାୟିତ୍ୱ ବହନ କରି ପ୍ରତିଯୋଗିତା ପରିଚାଳନାରେ କରିଥିଲେ । ଏହି ପ୍ରତିଯୋଗିତାରେ ଉପଖଣ୍ଡର ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରୁ ପ୍ରାୟ ୫୦ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଜନକ ରାମ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଭଳି ପ୍ରତିଯୋଗିତା ସମାଜ ଓ ସଂସ୍କୃତିର ସୁରକ୍ଷାରେ ସହାୟକ ଅଟେ ଏବଂ ଏହା ନିୟମିତ ହେବା ଉଚିତ ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସଂପାଦକ ରାଜେନ୍ଦ୍ର ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଜ୍ଞାନ ମିଶନର ସଦସ୍ୟ ଅନ୍ତର୍ଯ୍ୟାମୀ ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଦସ୍ୟ ଅଚ୍ୟୁତାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମିଶନର ରୋହିତାଶ୍ବ ଭାଇ , କରୁଣାକର ଭାଇ ଏବଂ ସ୍ଥାନୀୟ ବିଦ୍ୟାଳୟର ଫକୀର ଭାଇ ଓ ବିରେନ୍ଦ୍ର ଭାଇ କାର୍ଯ୍ୟକ୍ରମ ସଫଳ ହେବାରେ ସାହାଯ୍ୟ କରିଥିଲେ । କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ଛଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।