ଲଖନପୁର ବ୍ଲକ ବିଭାଜନ ଓ ସବଡିଭିଜନ ମାନ୍ୟତା ଆନ୍ଦୋଳନ ପାଇଁ ବୈଠକ


ଝାରସୁଗୁଡା ୧୩/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ର ସର୍ବ ବୃହତ ଲଖନପୁର ବ୍ଲକକୁ ତିନି ଭାଗରେ ବିଭାଜନ କରିବା ସହ ତହସିଲ ଅଞ୍ଚଳକୁ ଏକ ସବଡିଭିଜନ ଭାବେ ଘୋଷଣା କରିବା ପାଇଁ ଦୀର୍ଘ ଦଶନ୍ଧି ଧରି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ତଥାପି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଇ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଆସୁଛନ୍ତି । ଯାହାକୁ ନେଇ ଲଖନପୁର ବ୍ଲକ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଏକ ବିରାଟ ଜନ ଆନ୍ଦୋଳନ ରୂପ ଧାରଣ କରିବାକୁ ଲାଗିଲାଣି । ଏ ପ୍ରସଙ୍ଗକୁ ନେଇ ଲଖନପୁର ପୂର୍ତ୍ତ ଡାକ ବଙ୍ଗଳା ପରିସରରେ ଲଖନପୁର ବ୍ଲକ ନାଗରିକ ପରିଷଦ କୋର କମିଟିର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ନାଗରିକ ପରିଷଦ କମିଟିର ସ୍ଥାୟୀ ସଭାପତି ପିତାମ୍ବର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ବ୍ଲକ ବିଭାଜନ ଓ ସବଡିଭିଜନ ମାନ୍ୟତାର ପରବର୍ତ୍ତୀ ପଦକ୍ଷେପ ଉପରେ ସରଗରମ ଆଲୋଚନା ହୋଇଥିଲା ଏବଂ ଆସନ୍ତା ୨୨ ତାରିଖରେ ଲଖନପୁର ବ୍ଲକର ସୀମାନ୍ତ କନକତୋରା ଛକରେ ଏନଏଚ-୪୯ କୁ ସକାଳ ୬ ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା ଧରି ଅର୍ଥନୈତିକ ଅବରୋଧ କରିବା ସହିତ ଲଖନପୁର ବ୍ଲକ ଓ ତହସିଲ କାର୍ଯ୍ୟାଳୟ କୁ ମଧ୍ୟ ସମ୍ପୁର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ତେଣୁ ଏହି ଆନ୍ଦୋଳନ କିପରି ସଫଳତା ପୂର୍ବକ ହୋଇ ପାରିବ ସେଥିପାଇଁ ଜୋନ ସ୍ତରୀୟ ବୈଠକ କରିବା ପାଇଁ ପ୍ରସ୍ତାବ ଗୃହୀତ କରା ଯାଇଥିଲା । ସେହି ଅନୁସାରେ ଲଖନପୁର ଜୋନ-୨ ସ୍ତରୀୟ ବୈଠକ ଆସନ୍ତା ୧୬ ତାରିଖ ବାଘମୁଣ୍ଡା ନୁଆଁବନ୍ଧ ଛକ ପାନ୍ଥ ନିବାସ ଠାରେ ବସିବା ପାଇଁ ସ୍ଥିର ହୋଇଥିବା ବେଳେ ୧୮ ତାରିଖରେ ଜୋନ-୧ ସ୍ତରୀୟ ବୈଠକ କନକତୋରା ବନ୍ୟା ଆଶ୍ରୟ ସ୍ଥଳୀ ଏବଂ ୨୧ ତାରିଖରେ ଲଖନପୁର ଜୋନ-୩ ସ୍ତରୀୟ ବୈଠକ ବନ୍ଧବାହାଲ ସ୍ଥିତ ମାଁ ସମଲେଇ ମନ୍ଦିର ପରିସରରେ ବସିବା ପାଇଁ ଦିନ ଧାର୍ଯ୍ୟ କରା ଯାଇଥିବା ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଝାରସୁଗୁଡା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଲିଖିତ ଭାବେ ଜଣାଇବା ସହିତ ଜିଲ୍ଲା କୃଷକ ସଙ୍ଗଠନ, ବ୍ଲକ ସରପଞ୍ଚ ସଙ୍ଘ, ସମିତି ସଭ୍ୟ ସଙ୍ଘ, ଜିଲ୍ଲା ଓକିଲ ସଂଘଙ୍କୁ ମଧ୍ୟ ଆନ୍ଦୋଳନରେ ସହଯୋଗ କରିବା ପାଇଁ ସର୍ଵ ସମ୍ମତି କ୍ରମେ ପ୍ରସ୍ତାବ ପାସ କରା ଯାଇଥିଲା ।
ଆଜିର ଅନୁଷ୍ଠିତ ବୈଠକରେ ଲଖନପୁର ନାଗରିକ ପରିଷଦ କୋର କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ରଘୁନନ୍ଦନ ପଣ୍ଡା, ଗୌତମ ପଧାନ, ଲଲାଟ ବିଶ୍ୱାଳ, ଲିଙ୍ଗରାଜ ବଢ଼େଇ, ଜଗବନ୍ଧୁ ସା, ପ୍ରସନ୍ନ କୁମାର ସେନାପତି, ବିରଞ୍ଚି ସାହୁ, ଇନ୍ଦ୍ରମଣି ପଧାନ, ଅଶୋକ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଭୋନାଥ ବଢ଼େଇ, ପ୍ରସନ୍ନ ବାରିକ, କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ବରିଷ୍ଠ ସଦସ୍ୟ ଜଗବନ୍ଧୁ ସା ଧନ୍ୟବାଦ ଅର୍ପଣ କରିଥିଲେ ।