ଗାଁ ଭିତରେ ପଶି ଜଙ୍ଗଲୀ ବାରହା ଆକ୍ରମଣ


ଝାରସୁଗୁଡା ୧୩/୯ (ଓଡ଼ିଶା ନ୍ୟୁଜ) ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଖିଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୋମବାର ସକାଳ ପ୍ରାୟ ସାଢ଼େ ୯ ଟା ସମୟରେ ଗାଁ ଭିତରକୁ ଏକ ଜଙ୍ଗଲୀ ବାରାହା ପଶିଆସି ଜଣେ ମହିଳା ସମେତ ୪ ଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ଫଳରେ ଜଣେ ମହିଳା ଓ ଜଣେ ଯୁବକ ଗୁରୁତର ଆହତ ହୋଇ ଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଚିଖିଲି ଗ୍ରାମର କୌଶଲ୍ୟା ଭୋଇ(୭୫) ଓ ବିରାଟ ଖମାରୀ (୪୯) ଗୁରୁତର ଆହତ ହୋଇଥିବା ବେଳେ ସେହି ଚିଖିଲି ଗ୍ରାମର କରୁଣାକର ଖମାରୀ(୬୨) ଓ ଉସତ ମାଝୀ (୪୫) ଏବଂ ରେମତା ଗ୍ରାମର ଲକ୍ଷ୍ମଣ ଗରଡିଆ (୪୩) ସାମାନ୍ୟ ଆହତ ହୋଇଥିଲେ ।ଗୁରୁତର ଭାବେ ଆହତ ହୋଇଥିବା କୌଶଲ୍ୟା ଓ ବିରାଟଙ୍କୁ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ପ୍ରଦତ୍ତ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନା କୁ ନିଆ ଯାଇଥିବା ବେଳେ କରୁଣାକର, ଉସତ ଏବଂ ଲକ୍ଷ୍ମଣ ଚାଣ୍ଟିପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି ।
ମିଳିଥିବା ତଥ୍ୟ ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ୯ ଟା ସମୟରେ ଚିଖିଲି ଗ୍ରାମର ୭୫ ବର୍ଷୀୟ କୌଶଲ୍ୟା ବନ୍ଧରୁ ଗାଧୋଇ ଫେରୁଥିବା ବେଳେ ହଠାତ ଏକ ଜଙ୍ଗଲୀ ବାରହା ଆସି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା । ଏହାପରେ ବିରାଟ ଓ କରୁଣାକର ବିଲରେ କାମ କରୁଥିବା ବେଳେ ଉଭୟଙ୍କୁ ଆକ୍ରମଣ କରିଥିଲା । ବିରାଟଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ବେଳେ କରୁଣାକର ସାମାନ୍ୟ ଆହତ ହୋଇଥିଲେ । ସେହିପରି ରେମତା ଗ୍ରାମର ଲକ୍ଷ୍ମଣଙ୍କୁ ମଧ୍ୟ ଅନୁରୂପ ଆକ୍ରମଣ କରିବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । କିନ୍ତୁ ଏତେ ବଡ ଘଟଣା ଘଟିଥିବା ସତ୍ୱେ ବନ ବିଭାଗ ପାଖରେ ସୂଚନା ଥାଇ ମଧ୍ୟ ଘଟଣା ସ୍ଥଳକୁ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଆସି ନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏ ସମ୍ପର୍କରେ ବେଳପାହାଡ଼ ବନାଞ୍ଚଳ ଅଧିକାରୀ ଶର୍ମିଲି ନାୟକଙ୍କୁ ଯୋଗାଯୋଗ କରିବାରୁ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ଆହତ ମାନଙ୍କୁ ଜଙ୍ଗଲ ଅଧିନିୟମ ଅନୁସାରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସୂଚନା ଥାଉକି ଗତ ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅନ୍ତର୍ଗତ ବାବେବିରା ଗ୍ରାମର ଅଶ୍ୱିନୀ ସ୍ୱାଇଁ ଏକ ମଟର ସାଇକେଲରେ କଣ୍ଡେଇକେଲା ଗ୍ରାମକୁ କୌଣସି କାମରେ ଆସୁଥିବା ବେଳେ ପ୍ରାୟ ୧୦/୧୫ ଟି ଜଙ୍ଗଲୀ ବାରହା ହଠାତ ସମ୍ମୁଖକୁ ଚାଲି ଆସିବାରୁ ସେ ମଟର ସାଇକେଲରୁ ପଡ଼ିଯାଇ ଆହତ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଏହି ଅଞ୍ଚଳରେ ପ୍ରାୟ ସମୟରେ ଜଙ୍ଗଲୀ ବାରହା ମାନେ ଆସି ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ତେଣୁ ଏଥିପ୍ରତି ବନ ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।